ରାଉରକେଲା: ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଛି ଇସ୍ପାତ ନଗରୀ ରାଉରକେଲା । ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମି କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଛି । କେବଳ ସହର ଭିତରେ ନୁହେଁ ରାଉରକେଲା ରେଳ ଷ୍ଟେସନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଷ୍ଟେସନର ପାର୍କିଂ ଏରିଆ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ଫଳରେ ସେଠାରେ ଥିବା ଅଟୋ, ବାଇକ୍ ଏବଂ ଚାରି ଚକିଆ ଯାନଗୁଡ଼ିକ ପାଣିରେ ବୁଡ଼ି ରହିଛି ।
ରେଳ ଅଧିକାରୀ ଏବଂ ରାଉରକେଲା ମହାନଗର ନିଗମର ଅଧିକାରୀ ସେଠାରେ ପହଁଚି ସ୍ଥିତି ପରଖିଛନ୍ତି । ଷ୍ଟେସନରେ ନିକଟରେ ଥିବା ଡ୍ରେନ୍ ସମ୍ପୂର୍ଣ୍ଣ ଜାମ୍ ହୋଇଯିବା ଫଳରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା କୁହାଯାଉଛି । ନିକଟରେ ବସ୍ତିର ଡ୍ରେନ୍ ଜାମ୍ ହୋଇଥିବା ଜଣାପଡ଼ିଛି । ବସ୍ତିରେ ମଧ୍ୟ ବର୍ଷା ପାଣି ପଶିଥିଲା । ବସ୍ତି ବାସିନ୍ଦା ଏବଂ ଆରଏମସି କର୍ମଚାରୀ ମିଶି ଡ୍ରେନ୍ ସଫା କରିବା ପରେ ପାଣି ନିଷ୍କାସିତ ହୋଇଛି । ତେବେ ଗାଡ଼ି ଗୁଡ଼ିକରେ ପାଣି ପଶି ଇଞ୍ଜିନ୍ କାମ କରିବା ବନ୍ଦ କରିଦେଇଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଆହୁରି ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟେ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।