ଲର୍ଡ୍ସ: ଲର୍ଡ୍ସରେ ଖେଳା ଯାଉଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ସୋମବାର ଶେଷ ଦିନରେ କିଏ ମ୍ୟାଚ୍ ବାଜି ମାରିବ କହିବା ମୁସ୍କିଲ । ଭାରତକୁ ମ୍ୟାଚ୍ ଜିତିବା ପାଇଁ ୧୩୫ ରନ ଦରକାର ଥିବା ବେଳେ ଇଂଲଣ୍ଡକୁ ଦରକାର ୬ ୱିକେଟ୍ । କେଏଲ ରାହୁଲଙ୍କ ସହ ଆଜି ଋଷଭ ପନ୍ତ ଦିନର ବ୍ୟାଟିଂ ଆରମ୍ଭ କରିବେ । ଦିନର ପ୍ରଥମ ୧୦ ଓଭର ବେଶ ମହତ୍ୱପୂର୍ଣ୍ଣ ରହିବ, କାରଣ ଏହି ସମୟରେ ବଲ ଅଧିକ ସିମ ଓ ସୁଇଙ୍ଗ ହେବାର ସମ୍ଭାବନା ରହିଛି ।
ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୨ ରନରେ ଅଲଆଉଟ୍ ହେବାରୁ ଭାରତ ଆଗରେ ରହିଛି ୧୯୩ ରନର ବିଜୟ ଲକ୍ଷ୍ୟ । ତେବେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୫୮ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ରହିଛି । କ୍ରିଜରେ କେଏଲ ରାହୁଲ ୩୩ ରନ କରି ଅପରାଜିତ ଅଛନ୍ତି । ଯଶସ୍ୱୀ ଜୟସ୍ୱାଲ ଶୂନ୍ୟରେ ଆଉଟ୍ ହୋଇଥିବା ବେଳେ କରୁଣ ନାୟର ୧୪ ରନ ଓ ଗିଲ୍ ୬ ରନ କରି ଶସ୍ତାରେ ଆଉଟ୍ ହୋଇଛନ୍ତି । ଏବେ ଭାରତକୁ ଭରସା କେଏଲ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଓ ନୀତିଶ ରେଡ୍ଡୀ ।
୯୩ ବର୍ଷରେ ଭାରତୀୟ କ୍ରିକେଟ୍ ଦଳ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ମୋଟ୍ ୧୯ଟି ମ୍ୟାଚ୍ ଖେଳିଛି । ଏଥିରେ ଦଳ ୧୨ଟି ହାରିଥିବା ବେଳେ ୩ଟି ଜିତିଛି । ୧୯୮୬ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଜିତିଥିଲା । ଉକ୍ତ ମ୍ୟାଚରେ ଭାରତକୁ ଜିତିବା ପାଇଁ ୧୩୪ ରନ ଦରକାର ଥିଲା । ଦଳ ୫ ୱିକେଟ୍ ହରାଇ ୪୨ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା । ଏହା ପରେ ପରବର୍ତ୍ତୀ ଦୁଇଟି ବିଜୟରେ ଭାରତ ଇଂଲଣ୍ଡକୁ ବିଜୟ ଲକ୍ଷ୍ୟ ପିଛା କରିବାକୁ ଦେଇ ନ ଥିଲା ।
୧୯୮୬- କପିଲ ଦେବଙ୍କ ନେତୃତ୍ୱରେ ୫ ୱିକେଟ୍ରେ ବିଜୟୀ
୨୦୧୪- ଏମଏସ ଧୋନୀଙ୍କ ନେତୃତ୍ୱରେ ୯୫ ରନରେ ବିଜୟୀ
୨୦୨୧- ବିରାଟ କୋହଲିଙ୍କ ନେତୃତ୍ୱରେ ୧୫୧ ରନରେ ବିଜୟୀ
ଲର୍ଡ୍ସରେ ବିଜୟ ଲକ୍ଷ୍ୟ ପିଛା କରି ଭାରତ ଏକମାତ୍ର ବିଜୟ ୧୯୮୬ରେ ହାସଲ କରିଥିଲା । କଣ ଆଜି ଇତିହାସ ଦୋହରାଇବ ଭାରତ ? ଭାରତକୁ ଜିତିବା ପାଇଁ ଦରକାର ୧୩୫ ରନ । କିନ୍ତୁ ଏହା ସେତେ ସହଜ ନୁହେଁ । ଯଦି ପ୍ରଥମ ୧୦ ଓଭର ଭାରତୀୟ ବ୍ୟାଟର ଠିକରେ ବ୍ୟାଟିଂ କରି ଦିଅନ୍ତି ତେବେ ଭାରତର ବିଜୟ ସମ୍ଭାବନା ରହିବ ।
ପନ୍ତ- ରାହୁଲଙ୍କ ଉପରେ ଦାୟିତ୍ୱ
ଆଜି ଭାରତକୁ ଜିତିବାକୁ ହେଲେ କେଏଲ ରାହୁଲ ଓ ଋଷଭ ପନ୍ତଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଦଳର ବିଜୟରେ ଉଭୟଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭରଶୀଳ । ଏହା ବାଦ୍ ରବୀନ୍ଦ୍ର ଜାଡେଜାଙ୍କଠୁ ଦଳ ପ୍ରଥମ ଇନିଂସ ପରି ଖେଳ ଆଶା କରିବ । ତେବେ ଆଜି ଦିନର ପ୍ରଥମ ୧୦ ଓଭର ରାହୁଲ ଓ ପନ୍ତଙ୍କୁ ସତର୍କତାର ସହ ବ୍ୟାଟିଂ କରିବାକୁ ପଡିବ ।