ଗଞ୍ଜାମ: ଅନଲାଇନ୍ ଟ୍ରେଡିଙ୍ଗ ନାଁରେ ଠକେଇ । ଲୁଟିନେଲେ ୨ ଲକ୍ଷ ୯୦ ହଜାର ଟଙ୍କା । ଏଭଳି ଠକାମୀର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନାଞ୍ଚଳର ଭାବିନାରାୟଣପୁର ଉତ୍କଳ ନଗରର ସୀତାଂଶୁ ପଣ୍ଡା ନାମକ ଜଣେ ବ୍ୟକ୍ତି ।
ସୂଚନା ମୁତାବିକ, ନାରାୟଣପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଅନଲାଇନ ଟ୍ରେଡିଙ୍ଗ ଗେମରେ ବହୁ ଲାଭବାନ ହେଉଥିବା ଜାଣି, ସୀତାଂଶୁ ପଣ୍ଡା ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପର୍କରେ ଆସି ଅନଲାଇନ ଟ୍ରେଡିଙ୍ଗ ବିଷୟରେ ବୁଝିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ସହ ଆଲୋଚନା ପରେ ନିଜେ ଏଥିରେ ପଞ୍ଜିକୃତ କରି ୨୦୨୩ ଡିସେମ୍ବର ମାସଠାରୁ ୨୦୨୪ ଫେବୃଆରୀ ୨୮ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୯୦ ହଜାର ଟଙ୍କା ଜମା ଦେଇ ଅନଲାଇନରେ ଗେମ୍ ଖେଳିଥିଲେ। ଏହା ମଧ୍ୟରେ ସୀତାଂଶୁଙ୍କ ଆକାଉଣ୍ଟକୁ କେବଳ ୨୭ ହଜାର ଟଙ୍କା ଆସିଥିଲା। ବଳକା ଟଙ୍କା ନ ମିଳିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ଏବଂ ତାଙ୍କ ଟଙ୍କା ବ୍ୟବହାର କରି ତାଙ୍କୁ ଠକେଇ କରିଥିବା ଜାଣି ପାରିଥିଲେ। ତେବେ ଏନେଇ ସୀତାଂଶୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଲୋକଙ୍କୁ ଠକି ଅତି ସହଜ ଉପାୟରେ ଟଙ୍କା ରୋଜଗାରର ନିଶା ଏବେ କିଛି ଯୁବକମାନଙ୍କୁ ଘାରିଥିବା ବେଳେ ଏହାର ପରିଣାମ ଭୟଙ୍କର ବୋଲି ସେମାନେ ବୁଝି ପାରୁନାହାନ୍ତି। ଅପର ପକ୍ଷରେ ୧ ଟଙ୍କା ୧୦୦ ଟଙ୍କା ହେବା ଆଶାରେ ସାଧାରଣ ଲୋକ ମଧ୍ୟ ଏମିତି ଠକମାନଙ୍କୁ ଭରସା କରି ଶେଷରେ ସର୍ବସ୍ୱ ହରାଉଛନ୍ତି । ଚିଟ୍ ଫଣ୍ଡ୍ ଠକାମୀର ଶିକାର ହେବାପରେ ମଧ୍ୟ ଲୋକମାନେ ଏବେ ଯାଏଁ ସଜାଗ ହୋଇ ପାରୁ ନାହାଁନ୍ତି । ତେବେ ଆଗାମୀ ଦିନରେ ଏମିତି ଠକାମୀର ଶିକାର ନହେବାକୁ ସାଧାରଣ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି ।