ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନ ଧରି ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ମହାମହିମ ଯୋଗଦେବେ। ଆଜି ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଏହାକୁ କେନ୍ଦ୍ର କରି ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ। ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ବନ୍ଦ ରହିବ ରାସ୍ତା। ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ, ଏଜି ଛକ ରାସ୍ତା ବନ୍ଦ ରହିବ। ରାଜଭବନ ଛକ, ପାଓ୍ବାର ହାଉସ ଛକ ଦେଇ ବନ୍ଦ ରହିବ ଗାଡ଼ି ଚଳାଚଳ। ୧୨୦ ବିଏନ୍ ଛକ, ଶାସ୍ତ୍ରୀନଗର, ବେହେରା ସାହି ରାସ୍ତା ବନ୍ଦ କରାଯିବ। ଜୟଦେବ ବିହାର ଛକରୁ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ବନ୍ଦ ରହିବ। ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍, କସ୍ମୋପଲିସ ଛକ, ଏମ୍ସ ଅଣ୍ଡର ପାସ୍ ରାସ୍ତା ବନ୍ଦ ରହିବ। ସା ୬.୩୦ରୁ ୭.୦୫ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବ।
ତେବେ ଆଜି ଭୁବନେଶ୍ୱର ପହଁଚିବା ପରେ ଏହା AIIMS ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାପରେ ଆସନ୍ତାକାଲି (୧୫ ତାରିଖ)ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଟକ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ସମାରୋହରେ ଯୋଗଦେବେ । ସମାବର୍ତ୍ତନ ଉତ୍ସବ ଅବସରରେ ବିଶ୍ବବିଦ୍ୟାଳୟ ୮୪ ଜଣ ୟୁଜି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୬ ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଶ୍ରେଷ୍ଠ ସ୍ନାତକ, ୭୬ଜଣ ସ୍ନାତକୋତର ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୪୪ଜଣଙ୍କୁ PHD, ଜଣେ DLT ଓ ଜଣେ DSCଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରବିବାର କାର୍କେଡ୍ ରିହର୍ସାଲ୍ ମଧ୍ୟ କରାଯାଇଛି । ଆସନ୍ତାକାଲି ସଂଧ୍ୟାରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।