ଆସନ୍ତା ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ୩ ତାରିଖ ସୁଦ୍ଧା ବାତ୍ୟା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ । ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସୁଦୃଶ୍ୟ ଲଘୁଚାପଟି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ନେଇପାରେ । ପରବର୍ତ୍ତୀ ସମୟରେ ୩ ତାରିଖ ଦିନ ବାତ୍ୟାରେ ରୂପାନ୍ତରଣ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।
ଏହାର ପ୍ରଭାବରେ ୧ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପ ସାଗର ତଥା ତତ ସଂଲଘ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବୋହିପାରେ । ୨ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ । ତେଣୁ ସମୁଦ୍ର ମଧ୍ୟ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରା ଯାଇଛି । ଯେଉଁମାନେ ଯାଇଛନ୍ତି, ସେମାନଙ୍କୁ ଫେରି ଆସିବାକୁ ଅନୁରୋଧ କରା ଯାଇଛି । ତେବେ ବାତ୍ୟା ସମ୍ପୂର୍ଣ୍ଣ ସୂଚନା ଦିଆନଯିବା ଯାଏ ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।
କୃଷକମାନଙ୍କ ପାଇଁ ଏ ସମ୍ପର୍କିତ ସତର୍କ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ପାଚିଥିବା ଧାନକୁ କାଟି ଆଣିବାକୁ କୁହାଯାଇଛି । ମେଘୁଆ ପାଗ ଯୋଗୁଁ ସମ୍ଭାବ୍ୟ ରୋଗପୋକ ପ୍ରତି ଚାଷୀମାନେ ଧ୍ୟାନ ଦେବାକୁ କୁହାଯାଇଛି । ତେବେ ପବନକୁ ନେଇ ଭୟଭୀତ ନହେବାକୁ କୁହା ଯାଇଛି । ସମୁଦ୍ର ଅଶାନ୍ତ ରହିବା ବେଳେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ :- ବାତ୍ୟା ପାଇଁ 1ରୁ ମତ୍ସ୍ୟଜୀବୀ ସମୁଦ୍ର ମନା