ସାମ୍ନାକୁ ପୁଣି ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ବାରମ୍ବାର ଖବର ପ୍ରସାରଣ ପରେ ବି ସେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ରୋଗୀର ଜୀବନ ବିପଦରେ ପଡିଥିବା ବେଳେ ଆସିଲାନି ୧୦୮ ଆମ୍ବୁଲାନ୍ସ । ଶେଷରେ ଟ୍ରଲିରେ ପତ୍ନିଙ୍କୁ ମେଡିକାଲ ନେଲେ ସ୍ୱାମୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ ରସୁଲପୁର ବ୍ଲକର ଗୋପାଳପୁର ଗାଁର ଟ୍ରଲି ଚାଳକ ଇଶ୍ୱର ମଲ୍ଲିକଙ୍କ ସ୍ତ୍ରୀ ଜ୍ୱରରେ ପୀଡିତଥିଲେ । ଜ୍ୱର ଅଧିକ ବଢିବାରୁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସ ନମ୍ବରକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ଏକ ଟ୍ରଲିରେ ସ୍ତ୍ରୀଙ୍କୁ ଗୋପାଳପୁରରୁ ବୋହି ଧର୍ମଶାଳା ମେଡିକାଲ ଆଣିଥିଲେ ସ୍ୱାମୀ । ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ରାସ୍ତାରେ ଟ୍ରଲିରେ ସ୍ତ୍ରୀକୁ ନେଇ ଯାଉଥିବା ବେଳେ ସେହିପଟ ଦେଇ ଆମ୍ବୁଲାନ୍ସ ପାସ କରୁଥିଲେ ବି କେହି ତାଙ୍କୁ ମେଡିକାଲ ନେଇନଥିଲେ । ଶେଷରେ ସ୍ତ୍ରୀ ଚଗଲି ମଲ୍ଲିକଙ୍କୁ ପାଞ୍ଚ କିଲୋମିଟର ବୋହି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ ସ୍ୱାମୀ ଇଶ୍ୱର । ଧର୍ମଶାଳା ମେଡିକାଲରେ ପହଁଚିଲା ପରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ ।
ଅଧିକ ପଢନ୍ତୁ ;- କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ : ଆସିଲା ଡିଏନ୍ଏ ରିପୋର୍ଟ