ସମ୍ବଲପୁର: ଆଜି ଦେଶ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି l ଏହି ଅବସରରେ ସମ୍ବଲପୁର ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ସ୍ତରୀୟ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ହସ୍ତତନ୍ତ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି l
ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ବଳସାମନ୍ତ କହିଛନ୍ତି ଯେ ଏହି ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ଦିବସ l ଏହା ସହ ଏହା ସ୍ମୃତି, ସଂକଳ୍ପ ଓ ଆତ୍ମସମୀକ୍ଷା ର ଦିବସ l ମନ୍ତ୍ରୀ ସମ୍ବିଧାନର ରଚୟିତା ବାବା ସାହେବ ଆମ୍ୱେଦକରଙ୍କ ସ୍ମୃତିଚାରଣ କରିଥିଲେ l ଏହା ସହ ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର ସ୍ମୃତି ଚାରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆମ ରାଜ୍ୟ ତଥା ସମ୍ବଲପୁର ସହର ର କିପରି ଆହୁରି ବିକାଶ ହେବ ସେ ନେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ l
ଜିଲ୍ଲାରୁ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ୩୮ ଟ୍ରୁପ୍ ପରେଡରେ ଭାଗ ନେଇଥିଲେ l ଏଥିରେ ଏନସିସି, ଏପିଆର, ସିଭିଲିଆନ ପେରେଡ ରେ ଭାଗ ନେଇଥିବା ବେଳେ ୧୦ ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ଭାଗ ନେଇ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ଅବସରରେ ବିଭିନ୍ନ ସ୍କୁଲ ର ଛାତ୍ରୀ ଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଏହା ସହ ଟ୍ରକସଂଘ, ସ୍ୱେଚ୍ଛାସେବି ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ମଧ୍ୟ ଭାଗ ନେଇଥିଲେ ।