ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହେଉଛି “ବିକାଶ ଭି ବାରସତ୍ ଭି” । ଏହି ମାର୍ଗଦର୍ଶନରେ ଆମ ସରକାର ଅର୍ଥନୈତିକ ପ୍ରଗତି ସହିତ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ଓ ଲୋକକଳାର ସୁରକ୍ଷା ସହିତ ଅଧିକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆମ ପାଇଁ ବିକାଶ ଓ ଓଡ଼ିଆ ଅସ୍ମିତା ରାଜ୍ୟ ପ୍ରଗତିର ଦୁଇଟି ସ୍ତମ୍ଭ । ସାଧାରଣତନ୍ତ୍ର ଦିବସ ଅବସରରେ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଛନ୍ତି । ସମୃଦ୍ଧ ଓଡ଼ିଶା ଗଠନରେ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନର ଯୋଗଦାନ ରହିବ । ଆସନ୍ତା ୧୦ ବର୍ଷରେ ଓଡ଼ିଶା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ନେଇ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଆଜି ହେଉଛି ୭୭ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଦେଶ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ବୀର ସାବରକର, ବି ଆର୍ ଆମ୍ବେଦକର, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ରାଷ୍ଟ୍ର ଜନନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ଦେଶର ସ୍ୱତନ୍ତ୍ରତା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଓଡ଼ିଶାର ଅନେକ ବର ପୁତ୍ରଙ୍କ ତ୍ୟାଗ ଓ ବଳିଦାନ ନିଦର୍ଶନ ହୋଇ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛନ୍ତି । ଓଡ଼ିଶାର ବୀର ସୁରେନ୍ଦ୍ର ସାଏ, ସହିଦ ମାଧୋ ସିଂ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭଗବାନ ବିର୍ସା ମୁଣ୍ଡା, ସହିଦ ଲକ୍ଷ୍ମଣ ନାୟକ, ବାଜି ରାଉତ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି ଏବଂ ହରେକୃଷ୍ଣ ମହତାବ ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ଯବାନଙ୍କୁ ମଧ୍ୟ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ବହୁକଷ୍ଟଲବ୍ଧ ସ୍ୱାଧିନତା ପରେ ଦେଶର ସମ୍ମୁଖରେ ଏକ ବଡ଼ ଆହ୍ୱାନ ଥିଲା, ଏକ ସମ୍ବିଧାନକୁ ପ୍ରସ୍ତୁତ କରିବା । ଦୀର୍ଘ ୨ ବର୍ଷ ୧୧ ମାସ ୧୭ ଦିନର ତର୍କ, ବିତର୍କ ଓ ଆଲୋଚନା ପରେ ଭାରତର ସମ୍ବିଧାନକୁ ପ୍ରସ୍ତୁତ କରାଯାଇଥିଲା । ଏହି ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣିତ ହୋଇଥିଲା । ଯାହାକି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ । ଡାକ୍ତର ଭୀମରାଓ ଆମ୍ବେଦକର ଏହି ସମ୍ବିଧାନର ମୁଖ୍ୟ ପୁରୋଧା । ଆମ ସମ୍ବିଧାନର ବିଶେଷତ୍ୱ ହେଉଛି ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା । ସମ୍ବିଧାନ ଲକ୍ଷ୍ୟ ହେଉଛି ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ । ମୌଳିକ ଅଧିକାରର ସୁରକ୍ଷା ପାଇଁ ଯେପରି ସଚେତନ ରହିଛୁ ଠିକ୍ ସେହିପରି ମୌଳିକ କର୍ତ୍ତବ୍ୟ ଅନୁପାଳନ ପାଇଁ ସଚେତନା ରହିବା ଅତ୍ୟନ୍ତ ଜରୁରୀ । ତାହା ହେଲେ ଆମେ ଏକ ଆଦର୍ଶ ଗଣତାନ୍ତ୍ରିକ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ କରିପାରିବା ।
ଆମ ଧନୀ ଓ ଶକ୍ତିଶାଳୀ ଭାରତ ବର୍ଷ ବିଭିନ୍ନ କାରଣରୁ ଏକ ଗରିବ ଓ ଅଉନ୍ନତ ରାଷ୍ଟ୍ରରେ ପରିଣତ ହୋଇଯାଇଥିଲା । କିନ୍ତୁ ସ୍ୱାଧିନତା ପରେ ପୁନର୍ବାର ଦେଶର ହୃତ ଗୌରବକୁ ଫେରାଇ ଆଣିବାକୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ସରକାର ଏହି ଦିଗରେ ନିଜ ନିଜର ଭୂମିକା ତୁଲାଇ ଆସୁଛନ୍ତି । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସ୍ୱାର୍ଥ ସର୍ବୌପରି ନ୍ୟାୟରେ ରାଷ୍ଟ୍ର ନିର୍ମାଣରେ ଏକ ନୂତନ ପରିଭାଷା ପ୍ରଦାନ କରିଥିଲେ । ଭାରତକୁ ବିଶ୍ୱ ମାନଚିତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାକୁ ସଂକଳ୍ପ ଯାତ୍ରା ଆରମ୍ଭ କରିଥିଲେ । ଆଜି ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଦେଶର ଉତ୍କଟ ଦାରିଦ୍ର୍ୟରେ ଉଦ୍ଭୂତପୂର୍ବ ହ୍ରାସ ଘଟିଛି । ଗତ ୧୧ ବର୍ଷରେ ୨୫ କୋଟି ଦେଶବାସୀ ବହୁମୁଖୀ ଦାରିଦ୍ର୍ୟରୁ ଉଠିଛନ୍ତି । ମୋଦୀଙ୍କ ନେତୃତ୍ୱରେ ଭାରତ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ବିଶ୍ୱ ସ୍ତରରେ ନିଜର ହୃତ ଗୌରବ ଫେରିପାଇଛି । ଅପରେସନ ସିନ୍ଦୂର ଜରିଆରେ ଆମକୁ ଆଖି ଦେଖାଉଥିବା ଶକ୍ତି ଉଚିତ ଜବାବ ପାଇଛି ।
ମୁଖ୍ୟମନ୍ତ୍ରୀ ବିକଶିତ ଦେଶ ଓ ସମୃଦ୍ଧ ଓଡ଼ିଶା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୋଦୀଙ୍କ ସ୍ୱପ୍ନ ହେଉଛି ଆତ୍ମ ବିଶ୍ୱାସ ଓ ଆତ୍ମ ନିର୍ଭର ଭାରତ । ମୋଦୀଙ୍କ ପରିକଳ୍ପିତ ବିକଶିତ ଭାରତ ପାଇଁ ଓଡ଼ିଶା ମଧ୍ୟ ସମୃଦ୍ଧ ଓଡ଼ିଶା ମାଧ୍ୟମରେ ନିଜର ଯୋଗଦାନ ପ୍ରଦାନ କରିବାକୁ ଯାଉଛି । ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଆମ ସରକାର ଦେଶର 5 ସର୍ବଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡ଼ିଶାକୁ ସ୍ଥାନ ଦେବାକୁ କରିବାକୁ କାର୍ଯ୍ୟରତ । ଆସନ୍ତା ଦଶ ବର୍ଷରେ ରାଜ୍ୟର ଅର୍ଥନୀତିକୁ ଚାରି ଗୁଣ ବୃଦ୍ଧି କରି ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୪୭ ସୁଦ୍ଧା ୨.୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ ପାଇଁ ଭିତ୍ତିଭୂମି ସ୍ଥାପନ ହୋଇସାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ମହିଳାଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ସେହିପରି ଯୁବପୀଢ଼ିଙ୍କ ନିଯୁକ୍ତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନିଜକୁ ଜନତାଙ୍କର ଏକ ମୁଖ୍ୟ ସେବକ ବୋଲି ଅବିହିତ କରିଛନ୍ତି । ସରକାର ଏବଂ ସରକାରଙ୍କ ସମସ୍ତ ମନ୍ତ୍ରୀମାନେ ଲୋକଙ୍କ ପାଇଁ କରୁଛନ୍ତି । ସେହିପରି ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯାଉଛି । ପଦ, ପଦବୀ, ବରିଷ୍ଠ ଓ କନିଷ୍ଠ ନିର୍ବିଶେଷରେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଣି ଥରେ ତାଙ୍କର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହେଉଛି ବିକାଶ ଭି ବାରସତ୍ ଭି । ଏହି ମାର୍ଗଦର୍ଶନରେ ଆମ ସରକାର ଅର୍ଥନୈତିକ ପ୍ରଗତି ସହିତ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଲୋକକଳାର ସୁରକ୍ଷା ସହିତ ଅଧିକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆମ ପାଇଁ ବିକାଶ ଓ ଓଡ଼ିଆ ଅସ୍ମିତା ରାଜ୍ୟ ପ୍ରଗତିର ଦୁଇଟି ସ୍ତମ୍ଭ । ଏହି ଅବସରରେ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ସମୃଦ୍ଧ ଓଡ଼ିଶା ଗଠନରେ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନର ଯୋଗଦାନ ରହିବ । ଆସନ୍ତା ୧୦ ବର୍ଷରେ ଓଡ଼ିଶା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ନେଇ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।