ନୂଆଦିଲ୍ଲୀ: ଗତ ଦିନରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଅଚାନକ ଭାରତ ଗସ୍ତ କରି ସଭିଙ୍କୁ ଆଚମ୍ବିତ କରିଥିଲେ । ଏହି ଯାତ୍ରା ସମୟରେ ଭାରତ ଓ ୟୁଏଇ ମଧ୍ୟରେ ଅନେକ ଚୁକ୍ତିନାମା ହୋଇଛି, ଯେଉଁଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ରାଜିନାମା ରହିଛି । ଭାରତ ଓ ୟୁଏଇ ମଧ୍ୟରେ ଏହି ଡିଲ୍ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଗତ ବର୍ଷ ହୋଇଥିବା ପ୍ରତିରକ୍ଷା ଚୁକ୍ତିର ଜବାବ ରୂପେ ବିବେଚନା କରାଯାଉଛି ।
ଏହି ସବୁ ପରେ ନାହୟାନଙ୍କ ଏହି ଯାତ୍ରାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଗସ୍ତର କିଛି ଦିନ ପରେ ୟୁଏଇ ପାକିସ୍ତାନକୁ ଝଟକା ଦେଇଛି । ଇସଲାମାବାଦ ଏୟାରପୋର୍ଟର ପରିଚାଳନା ଯୋଜନାରୁ ନିଜକୁ ଅଲଗା କରି ଦେଇଛି । ପାକିସ୍ତାନ ଓ ୟୁଏଇ ମଧ୍ୟରେ ୨୦୨୫ ଅଗଷ୍ଟରେ ଚୁକ୍ତିନାମା ହୋଇଥିଲା ।
ପାକିସ୍ତାନ ଖବର କାଗଜ ଦ ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ମୁତାବକ ୟୁଏଇ ଏହି ପ୍ରୋଜେକ୍ଟରୁ ଓହରି ଯାଇଛି । ଫଳରେ ଚୁକ୍ତିନାମା ବର୍ତ୍ତମାନ ଶୀତଳ ଭଣ୍ଡାରକୁ ଚାଲି ଯାଇଛି । ଏହି ଘଟଣା ଏମିତି ସମୟରେ ହୋଇଛି, ଯେବେ ୟୁଏଇ ଓ ସାଉଦି ଆରବ ମଧ୍ୟରେ ସଂପର୍କରେ ତିକ୍ତତା ବୃଦ୍ଧି ପାଇଛି । ଅନ୍ୟପଟେ ପାକିସ୍ତାନ ଓ ସାଉଦି ଆରବ ନିକଟତର ହେଉଛନ୍ତି । ଏମିତି ସମୟରେ ୟୁଏଇ ପାକିସ୍ତାନ ସହ ଏହି ଡିଲରୁ ଓହରି ଯାଇଛି ।
ପ୍ରାୟ ଚାରି ଦଶନ୍ଧି ପର୍ଯ୍ୟନ୍ତ ୟୁଏଇ ପାକିସ୍ତାନର ସବୁଠୁ ବଡ ଟ୍ରେଡିଂ ପାର୍ଟନର ମଧ୍ୟରୁ ଗୋଟିଏ ଥିଲା । ୟୁଏଇରେ କାମ କରୁଥିବା ଲକ୍ଷାଧିକ ପାକିସ୍ତାନୀ ନାଗରିକଙ୍କ ପକ୍ଷରୁ ପଠା ଯାଉଥିବା ରେମିଣ୍ଟ ପାକିସ୍ତାନ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ଦୁଇ ଦେଶ ପ୍ରତିରକ୍ଷା, ଉର୍ଜା ଓ ନିବେଶ ପରି କ୍ଷେତ୍ରରେ ମଧ୍ୟ ଏକାଠି ମିଶି କରିଥିଲେ । ହେଲେ ସମୟ ସହିତ ସୁରକ୍ଷା ଚିନ୍ତା, ଲାଇସେନ୍ସ ବିବାଦ ଓ ପାକିସ୍ତାନର ଗତିବିଧି କାରଣରୁ ୟୁଏଇ ପାକିସ୍ତାନଠୁ ମୁହଁ ମୋଡି ନେଇଛି ।
ଏହାର ଓଲଟା ଭାରତ ଯାତ୍ରା ପରେ ୟୁଏଇ ଓ ଭାରତ ସଂପର୍କ ଆହୁରି ସୁଦୃଢ ହୋଇ ଯାଇଛି । ଏହି ଗସ୍ତ ପରେ ୟୁଏଇ ୯୦୦ ଭାରତୀୟ କଏଦୀଙ୍କୁ ମୁକ୍ତ କରିବା ପାଇଁ ମଞ୍ଜୁରୀ ଦେଇଛି । ଏହାକୁ ଭାରତ ପ୍ରତି ୟୁଏଇର ବଡ ସଦଦ୍ଭାବନା ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଅନ୍ୟପଟେ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଦ୍ୱିପାକ୍ଷିକ ସହଯୋଗର ପ୍ରତିଟି ଦିଗର ସମୀକ୍ଷା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଛି ।