ନୂଆଦିଲ୍ଲୀ: ଯଶପ୍ରୀତ ବୁମରା ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରା କରିଛନ୍ତି । ଗତ ଏକ ଦଶନ୍ଧିରେ ସେ ନିଜର ଦମଦାର ବୋଲିଂରେ ପ୍ରତିଟି ଫର୍ମାଟରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ସଂପ୍ରତି ସେ ଦୁନିଆର ସବୁଠୁ ବଡ ମ୍ୟାଚ୍ ବିଜେତା ଖେଳାଳି ଭାବେ ନିଜକୁ ଗଢି ପାରିଛନ୍ତି । କିନ୍ତୁ ତାଙ୍କ କ୍ୟାରିୟର ଆରମ୍ଭରେ ବୁମରାଙ୍କ ବୋଲିଂ ଶୈଳୀ ଦେଖି କ୍ରିକେଟ୍ ସମୀକ୍ଷକ ଆକଳନ କରୁଥିଲେ ଯେ, ତାଙ୍କ କ୍ୟାରିୟର ଅଧିକ ଦିନ ଚାଲିବ ନାହିଁ । କିନ୍ତୁ ବୁମରା ସବୁ ସମସ୍ୟାକୁ ପାର କରି ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରା କରିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଘାତକ ବୋଲିଂ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବୁମରା ନିଜର ୪ ଓଭର କୋଟାରେ ୧୭ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ଏହି ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ମିଳିଛି ।
ବୁମରା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରା କରିବା ଉପରେ କହିଛନ୍ତି, ଓହ ବହୁତ ଭଲ ଲାଗୁଛି । ମୁଁ ପିଲାଟି ବେଳରୁ ମ୍ୟାଚ୍ ଖେଳିବାର ସ୍ୱପ୍ନ ଦେଖୁଥିଲି । କିନ୍ତୁ ଆଜି ମୋର ସ୍ୱପ୍ନ ପୂରଣ ହେବା ସହ ଦେଶ ପାଇଁ ୧୦ ବର୍ଷ ଖେଳିଛି । ଜଣେ ଅଲରାଉଣ୍ଡର ନ ହୋଇ କି କେବଳ ବୋଲର ଭାବରେ ଦେଶ ପାଇଁ ଲଢିଛି । ହେଲେ ମୋର ଶୈଳୀ ଦେଖି ପ୍ରଥମେ ଲୋକଙ୍କୁ ଲାଗିଲା ମୁଁ ଅଧିକ ଦିନ କ୍ରିକେଟରେ ତିଷ୍ଠି ପାରିବି ନାହିଁ । କିନ୍ତୁ ଆଜି ମୁଁ ଦେଶ ପାଇଁ ଖେଳୁଛି ।
ଲୋକେ ମୋତେ ଛଅ ମାସର ସମୟ ଦେଇଥିଲେ । ଆଉ ମୁଁ ନିଜେ ଗର୍ବିତ ଯେ, ମୁଁ ଆଜି ଏତେ ବର୍ଷ ଧରି ଦେଶ ପାଇଁ ଖେଳି ଆସୁଛି । ଆଉ ଏହା ହିଁ ମୋ ପାଇଁ ସବୁଠୁ ବଡ ଉପଲବ୍ଧି । ଏହାକୁ ମୁଁ ନିଜ ସହ ଆଗକୁ ନେଇ ବଢିବି ।
Also read: ଟି-୨୦ ବିଶ୍ୱକପ୍ ପାଇଁ ଫିଟ୍ ହେଲେ ତିଲକ ବର୍ମା, ଟିମ୍ ଇଣ୍ଡିଆରେ ଯୋଗଦେବେ ଏହି ଦିନ