ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ଶୁକ୍ରବାର ରାୟପୁରରେ ଖେଳାଯିବ । ନାଗପୁରରେ ପ୍ରଥମ ମ୍ୟାଚ୍ ୪୮ ରନରେ ଜିତି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରି ସାରିଛି । ଦଳର ନଜର ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜରେ ନିଜର ସ୍ଥିତି ମଜବୁତ କରିବା । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଆତ୍ମ ବିଶ୍ୱାସ ବେଶ ମଜବୁତ ରହିଛି । ହେଲେ ଦ୍ୱିତୀୟ ଟି-୨୦ରେ ଚୂଡାନ୍ତ ଏକାଦଶରେ ବଡ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।
ଦ୍ୱିତୀୟ ଟି-୨୦ରେ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ପ୍ରଥମ ମ୍ୟାଚରେ ଫିଲ୍ଡିଂ ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଫଳରେ ତାଙ୍କ ମଇଦାନ ଛାଡିବାକୁ ପଡିଥିଲା । ବିସିସିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ ତାଙ୍କର ଫିଟନେସକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଯଦି ଅକ୍ଷର ଦ୍ୱିତୀୟ ଟି-୨୦ ନ ଖେଳନ୍ତି ତେବେ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ । ଏଥିରେ ଭାରତର ସ୍ପିନ ଆକ୍ରମଣ ଆହୁରି ମଜବୁତ ହେବ ।
ବ୍ୟାଟିଂ ଅର୍ଡରରେ ଅଭିଷେକ ଶର୍ମାଙ୍କ ସହିତ ପୁଣି ଥରେ ସଞ୍ଜୁ ସାମସନ ଓପନିଂ କରିବେ । ଇଶାନ କିଶନ ପ୍ରଥମ ମ୍ୟାଚରେ କିଛି ଖାସ୍ କରି ପାରି ନ ଥିଲେ । ମାତ୍ର ଟି-୨୦ ବିଶ୍ୱକପରେ ସାମିଲ୍ ଥିବାରୁ ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମ ମ୍ୟାଚରେ ୩୨ ରନ କରି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି । ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଦାୟିତ୍ୱ ସମ୍ଭାଳିବେ ।
ଯଦି ଅକ୍ଷର ପଟେଲ୍ ବାଦ୍ ପଡିବେ ତେବେ ରିଙ୍କୁ ସିଂ ଫିନିସର ଦାୟିତ୍ୱ ଅଧିକ ସମ୍ଭାଳିବେ । ବୋଲିଂରେ କୁଲଦୀପ ଯାଦବଙ୍କ ସହିତ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରି ପାରନ୍ତି । ବିଶେଷ କରି ବୁମରା ଓ ଅର୍ଶଦୀପ ସିଂ ନୂଆ ବଲରେ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇ ପାରନ୍ତି ।
ସମ୍ଭାବିତ ଭାରତୀୟ ଦଳ
ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ , ବରୁଣ ଚକ୍ରବର୍ତ୍ତୀ ।