ଭୁବନେଶ୍ଵର: ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଆମ ବସ୍ ଆତଙ୍କ ଦେଖାଦେଇଛି । ଜନପଥ ରାସ୍ତାରେ ଏକ ବାଇକୁ ଆମ ବସ୍ ଧକ୍କା ଦେବା ପରେ ଲୋକେ ତାତିଛନ୍ତି । ଫଳରେ ତିନୋଟି ବସକୁ ଲୋକେ କୁ ଭାଙ୍ଗିରୁଜି ଚୁନା କରି ଦେଇଛନ୍ତି ।
ଆଜି ଅପରାହ୍ନ ସମୟରେ ଜନପଥରେ ଏକ ଆମ ବସ୍ ଗୋଟିଏ ବାଇକୁ ଧକ୍କା ଦେଇଥିଲା । ଏହା ପରେ ସାଧାରଣ ଲୋକେ ତାତିଥିଲେ । ଯମ ପାଲଟିଥିବା ଆମ ବସ ଉପରେ ଆକ୍ରମଣ କରିଥିଲେ । ଇଟା ପଥର ମାଡ଼ କରିଥିଲେ । ପଛରୁ ଆସୁଥିବା ଆଉ ଦୁଇଟି ବସ୍ ଉପରେ ମଧ୍ୟ ରାଗ ସୁଝାଇଥିଲେ । ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଭୟରେ ଗାଡ଼ି ଛାଡ଼ି ଦୌଡ଼ିଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଲୋକେ ଶୁଣିବାକୁ ନାରାଜ ଥିଲେ । କିଛି ସମୟ ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ୍ ଛକ ଲୋକାରର୍ଣ୍ଣ୍ୟ ହୋଇଥିଲା । ଉଭୟ ପାର୍ଶ୍ୱରୁ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ଅଟକି ରହିଥିଲେ । ଲୋକଙ୍କୁ ଘଉଡ଼ାଇବାକୁ ପୋଲିସ ଶେଷରେ ମୃଦୁ ଲାଠି ଚାଳନା କରିଥିଲା । ଶେଷରେ ଉତ୍ତ୍ୟକ୍ତ ଜନତା ଛତ୍ରଭଙ୍ଗ ଦେଇଥିଲେ ।
ସେପଟେ ଡିସିପି ଜଗମୋହନ ମୀନା କହିଛନ୍ତି ବସ୍ ଭଙ୍ଗାରୁଜାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜଣ ଜଣକୁ ଚିହ୍ନଟ କରାଯିବ ଏବଂ ଆକ୍ସନ ହେବ । ପୋଲିସ ଆହତ ବ୍ୟକ୍ତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛି । ତତସହିତ ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭରକୁ ମଧ୍ୟ ଚିହ୍ନଟ କରାଯାଇଛି ।