ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ। ଝିଅ ଜନ୍ମ ହେଲା ବୋଲି ବୋହୂକୁ ପୋଡ଼ି ମାରିଦେବାକୁ ଉଦ୍ୟମ। ଅଳ୍ପକେ ବର୍ତିଛନ୍ତି ବୋହୂ ଓ ନବଜାତ ଶିଶୁକନ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ସୀମା ଅନ୍ତର୍ଗତ ଡାମରପୁର ଗାଁରେ ଘଟିଛି ଏଭଳି ଘଟଣା। ଗତକାଲି ରାତିରେ ଜଣେ ବ୍ୟକ୍ତି ତାଙ୍କ ବୋହୂକୁ ଜୀବନ୍ତ ଜାଳି ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସସ୍ମିତା ଦାସ ନିଜ ନବଜାତ ଶିଶୁ କନ୍ୟା ସହ ଶୋଇଥିବା ବେଳେ ତାଙ୍କ ଶ୍ୱଶୁର ପେଟ୍ରୋଲ ଆଣି ସେମାନଙ୍କ ଶେଯରେ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲେ ମଧ୍ୟ ସସ୍ମିତା ନିଜ ଜୀବନ ଓ ଶିଶୁର ଜୀବନ ରକ୍ଷା ପାଇଁ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ସେ ସାରା ରାତି ବାହାରେ ଅତିବାହିତ କରିଥିବା ବେଳେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନା ଅନୁସାରେ ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ। ସୁଶାନ୍ତଙ୍କର ପ୍ରଥମ ପତ୍ନୀର ଦୁଇଟି ଝିଅ ଥିଲା। ଦ୍ଵିତୀୟ ପତ୍ନୀର ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶାଶୁ, ଶ୍ୱଶୁର, ସ୍ୱାମୀ ଶାରୀରିକ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସସ୍ମିତା ପୋଲିସ ନିକଟରେ ବୟାନ ଦେଇଛନ୍ତି। ଏହି ଘଟଣା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି।