କଟକ : ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ। ଏହା ସହ ଆଜିର ଦିନଟିକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏନେଇ ନେତାଜୀ ଜୟନ୍ତୀ ପାଇଁ ସଜେଇ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ ଓ ନେତାଜୀ ସ୍ମାରକୀ। ଏହି ଅବସରରେ ନେତାଜୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସକାଳ ୮ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ କଟକ ଯିବେ। ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ପୈତୃକ ନିବାସ ଜାନକୀନାଥ ଭବନରେ ପହଞ୍ଚି ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବେ । ନେତାଜୀଙ୍କ ୧୨୯ ତମ ଜୟନ୍ତୀରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିବେ ସିପି ରାଧାକ୍ରିଷ୍ଣନ।
ରାଜ୍ୟ ସଂସ୍କୃତି ବିଭାଗ ଓ ଡାକ ବିଭାଗର ମିଳିତ ସହଯୋଗରେ ନେତାଜୀଙ୍କ ଜନ୍ମସ୍ଥାନରେ ଏକ ନୂତନ ଡାକ ସଂଗ୍ରହାଳୟକୁ ଉଦଘାଟନ କରିବେ। କଟକର ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିର୍ମିତ ନେତାଜୀ ଜିଲ୍ଲା ସଂସ୍କୃତି ଭବନକୁ ମଧ୍ୟ ସେ ଲୋକାର୍ପଣ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାଲି ସକାଳ ସାତଟାରୁ ଦିନ ଗୋଟାଏ ଯାଏ ସାଧାରଣ ଲୋକଙ୍କୁ ନେତାଜୀ ଙ୍କ ଜନ୍ମ ସ୍ଥାନ ଓ ସଂଗ୍ରହାଳୟ ବୁଲିବା ପାଇଁ ଅନୁମତି ନାହିଁ। ସେହିପରି ନେତାଜୀ ସ୍ମାରକୀରେ ସକାଳ ୮ ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକ ଙ୍କ ପ୍ରବେଶ ପାଇଁ କଟକଣା ରହିଛି । ଭିଭିଆଇପିଙ୍କ କଟକ ଗସ୍ତ ପାଇଁ ଭୁବନେଶ୍ବରରୁ କଟକ ଯାଏ ଟ୍ରାଫିକ କଟକଣା ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । କଟକ ସହରର କିଛି ଅଞ୍ଚଳରେ ଟ୍ରାଫିକ କଟକଣା କଡାକଡି କରାଯାଇଛି ।