ଭୁବନେଶ୍ୱର: ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ଓଡ଼ିଶାରେ ପହଁଚିଛନ୍ତି । ଶୁକ୍ରବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଛନ୍ତି । ସେଠାରେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭପାଟି ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି ।
ଉପରାଷ୍ଟ୍ରପତି ତାଙ୍କର ଏକ ଦିନିଆ ଗସ୍ତରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରରୁ ସିଧାସଳକ କଟକ ଅଭିମୁଖେ ଯାତ୍ରା କରିଥିଲେ । କଟକସ୍ଥିତ ନେତାଜୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗ ଦେଇଛନ୍ତି । ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ପୈତୃକ ନିବାସ ଜାନକୀନାଥ ଭବନରେ ପହଞ୍ଚି ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ନେତାଜୀଙ୍କ ୧୨୯ ତମ ଜୟନ୍ତୀରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିବେ ସିପି ରାଧାକ୍ରିଷ୍ଣନ। ଉପରାଷ୍ଟ୍ରପତି ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ।