ପୁରୀ ନବକଳେବର ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜଗନ୍ନାଥ ବସ୍ ଧକ୍କାରେ ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବୃଦ୍ଧା ଜଣକ ରାସ୍ତାରେ ଚାଲିକି ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଜଗନ୍ନାଥ ବସ୍। ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ମୁତାବିକ, ଲକ୍ଷ୍ମୀ ମହାରଣା ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧା ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଅଠରନଳାରୁ ଯାଉଥିବା ବସଟି ତାଙ୍କୁ ପଛରୁ ଧକ୍କା ଦେଇଥିଲା, ଯାହା ଫଳରେ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ପୁରୀ ସଦର ହସ୍ପିଟାଲକୁ ପଠାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ରେଫର କରିଥିଲେ। ମହିଳାଙ୍କର ଗୋଡ଼ରେ ଗୁରୁତର ଆଘାତ ଲାଗିଛି।
ତେବେ ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଦାବି କରିଥିଲେ। ସୂଚନା ପାଇ କୁମ୍ଭାରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଏବଂ ସାଧାରଣ ଟ୍ରାଫିକ୍ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବା ପାଇଁ ଅବରୋଧ ହଟାଇବା ପାଇଁ ଚେଷ୍ଟା କରିଥିଲା।
ଅଧିକ ପଢନ୍ତୁ: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ; ଝିଅ ଜନ୍ମ ହେବାରୁ ବୋହୂକୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳି ଦେବାକୁ ଉଦ୍ୟମ