ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଚରମବାଣୀ ଶୁଣାଇ ଦେଇଛି । ଯଦି ବାଂଲାଦେଶ ଦଳ ଭାରତ ଆସିବାକୁ ରାଜି ନହୁଅନ୍ତି ତେବେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱ କପରୁ ବାଦ୍ ପଡ଼ିବା ସୁନିଶ୍ଚିତ । ବୁଧବାର ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ବାଂଲାଦେଶକୁ ୨୪ ଘଣ୍ଟାର ସମୟ ଦିଆଯାଇଛି ।
ଆଇସିସିର ବୈଠକରେ ବାଂଲାଦେଶର ଅଂଶ ଗ୍ରହଣ ଉପରେ ଦୀର୍ଘ ଆଲୋଚନା ହୋଇଛି । ବୋର୍ଡ ଅଧିକାଂଶ ଦେଶ ବାଂଲାଦେଶର ଦାବି ବିପକ୍ଷରେ ମତ ରଖିଥିଲେ । ଫଳରେ ବାଂଲାଦେଶର ଶ୍ରୀଲଙ୍କାରେ ମ୍ୟାଚ୍ ସ୍ଥାନାନ୍ତର ଦାବିକୁ ଆଇସିସି ଅଗ୍ରାହ୍ୟ କରିଦେଇଛି । ତତସହିତ ଭାରତରେ ଖେଳିବେ କି ନାହିଁ ଶେଷ ନିଷ୍ପତ୍ତି ଜଣାଇବାକୁ ମାତ୍ର ୨୪ ଘଣ୍ଟାର ସମୟ ଦିଆଯାଇଛି । ଯଦି ବାଂଲାଦେଶ ଟିମ୍ ଭାରତରେ ଖେଳିବାକୁ ମନା କରେ ତେବେ ଆଗାମୀ ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟ ଗ୍ରୁପ-ସିରୁ ବାଦ୍ ପଡ଼ିବ । ସେହି ସ୍ଥାନରେ ଯୋଗ୍ୟତା ଅନୁସାରେ ସ୍କଟଲ୍ୟାଣ୍ଡକୁ ଖେଳିବାକୁ ସୁଯୋଗ ମିଳିବ ।
ବାଂଲାଦେଶର ରାଜନୈତିକ ବାତ୍ତାବରଣ ଅସ୍ଥିରତା ଏବଂ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରହିଥିଲା । ଆଇପିଏଲ ଟିମ୍ ଆରସିବିରୁ ଦ୍ରୁତ ବୋଲର୍ ମୁସ୍ତଫିଜୁର ରେହମାନଙ୍କ ବହିଷ୍କାର କରାଯିବା ପରେ ବାଂଲାଦେଶ ଭାରତ ଆସିବାକୁ ମନା କରିଥିଲା । ଭାରତରେ ହେବାକୁ ଥିବା ମ୍ୟାଚକୁ ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ ଦାବି କରିଥିଲା । ଏମିତିକି ଗ୍ରୁପ୍-ବିରେ ଆୟରଲ୍ୟାଣ୍ଡରେ ସ୍ଥାନରେ ବାଂଲାଦେଶକୁ ସୁଯୋଗ ଦେବାକୁ କୁହାଯାଇଥିଲା । ମାତ୍ର ଆଇସିସି ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି । ଏପରିକି ଆଇସିସିର ଏକ ଟିମ୍ ବିସିବି ଖେଳାଳୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଢାକା ଗସ୍ତ କରି ଆଲୋଚନା କରିଥିଲା । ମାତ୍ର ବିସିବି ନିଜ ଜିଦରେ ଅଟଳ ରହିଛି ।