ନୂଆଦିଲ୍ଲୀ: ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ । ବୁଧବାର ପାକିସ୍ତାନୀ ସେନା ଜାମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଭାରତୀୟ ସୁରକ୍ଷା ବାହିନୀ କଡ଼ା ଜବାବ ଦେଇଛନ୍ତି।
ରାଷ୍ଟ୍ରୀୟ ରାଇଫଲ୍ସର ସୁରକ୍ଷାବାହିନୀ କେରନ ଅଞ୍ଚଳରେ ସୀମାର ସୁରକ୍ଷାକୁ ମଜବୁତ କରିବାକୁ ଏବଂ ନିୟନ୍ତ୍ରଣ ରେଖା ବ୍ଲାଇଣ୍ଡ ସ୍ପଟକୁ ଶେଷ କରିବାକୁ ଅତ୍ୟାଧୁନିକ ସର୍ଭିଲାନ୍ସ କ୍ୟାମେରା ଲଗାଉଥିଲେ । କିନ୍ତୁ ପାକିସ୍ତାନ ସେନା ଏହାକୁ ରୋକିବାକୁ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଭାରତୀୟ ସେନା ମଧ୍ୟ ଗୁଳିର ଜବାବ ଗୁଳିରେ ଦେଇଥିଲା । ଦୁଇ ପକ୍ଷ ମଧ୍ୟର କେହି ନିହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ । ତଥାପି ପରବର୍ତ୍ତୀ ସମୟରେ ସେନା ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି ।
ସେପଟେ ଶୋପିଆନ ଜିଲ୍ଲାରେ ତଲାସୀ ଅଭିଯାନ ବେଳେ ସୁରକ୍ଷା ବାହିନୀ ଏକ ଆଇଇଡି ମଧ୍ୟ ଉଦ୍ଧାର କରିଛି । ଯାହାକୁ ସୁରକ୍ଷିତ ଭାବରେ ଜବତ ଏବଂ ନିଷ୍କ୍ରିୟ କରାଯାଇଛି। ପାକିସ୍ତାନର ଏହି କାର୍ଯ୍ୟଗୁଡ଼ିକ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଏହା ଭାରତ ବିରୁଦ୍ଧରେ କିଛି ଷଡ଼ଯନ୍ତ୍ର କରୁଛି।
ଏହା ପୂର୍ବରୁ ରବିବାର କିସ୍ତାୱାଡ଼ ଜିଲ୍ଲାର ଉପର ଭାଗରେ ଆତଙ୍କବାଦୀଙ୍କ ଗତିବିଧିକୁ ଦୃଷ୍ଟି ରଖି ସର୍ଚ୍ଚ ଅପରେସନ୍ କରାଯାଇଥିଲା । ପରଦିନ ଅର୍ଥାତ ମଙ୍ଗଳବାର କିଛି ଲୋକଙ୍କୁ ନିଜ ହେପାଜତକୁ ନେଇଥିଲା ।
ପୂର୍ବ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜୈଶ-ଏ-ମହମ୍ମଦ ନିକଟ ଭବିଷ୍ୟତରେ ଜାମ୍ମୁ ଏବଂ କଶ୍ମୀର ସମେତ ଦେଶର ଏକ ପ୍ରମୁଖ ସହରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି । ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା, ଆଇଏସଆଇ, ଏହି ଆକ୍ରମଣ କରିବାରେ ଏହି ଦୁଇଟି ଆତଙ୍କବାଦୀ ସଂଗଠନକୁ ପୂର୍ଣ୍ଣ ସମର୍ଥନ କରୁଛି। ପାକିସ୍ତାନୀ ସେନା ଜେନେରାଲ ଅସୀମ ମୁନିର ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ପରେ ଲସ୍କର ଏବଂ ଜୈଶ କମାଣ୍ଡରମାନଙ୍କୁ ଜିହାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତେବେ ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକର ଯେକୌଣସି ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ସଜାଗ ଅଛନ୍ତି।