ପ୍ରୟାଗରାଜ: ପ୍ରୟାଗରାଜରେ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାର ଶିକାର ହୋଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି କ୍ରାଶ ହୋଇଛି । ସବୁଠୁ ବଡ କଥା ପୋଖରୀରେ ବିମାନଟି ଖସିବାରୁ ବଡ ଦୁର୍ଘଟଣା ଟଳି ଯାଇଛି । ବିମାନରେ ଥିବା ଦୁଇ ପାଇଲଟଙ୍କୁ ବଞ୍ଚା ଯାଇଛି । ଦୁଇ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଏମପି କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ବାୟୁସେନାର ହେଲିକପ୍ଟର ଓ ସ୍ଥାନୀୟ ପୋଲିସ ପହଞ୍ଚିଛି ।
ବାୟୁସେନାର ଏମଏଲ ୧୧୪ ବିମାନ ଟ୍ରେନିଂ ପାଇଁ ବ୍ୟବହାର କରାଯାଏ । ବିମାନରେ ଦୁଇ ପାଇଲଟ ବସିଥିଲେ । ତେବେ ଅଚାନକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏହା ପରେ ପାଇଲଟ ନିଜର ଜୀବନ ବଞ୍ଚାଇବା ପାଇଁ ପାରାଚ୍ୟୁଟ୍ ଖୋଲିଥିଲେ । ବିମାନ ଧିମା ଗତିରେ କେପି କଲେଜ ପଛରେ ଥିବା ପୋଖରୀରେ ଖସି ପଡିଥିଲା । ପାରାଚ୍ୟୁଟ ଖୋଲିବାର ଶବ୍ଦ ଶୁଣିବା ପରେ ପୋଖରୀ ନିକଟରେ ସ୍ଥାନୀୟ ଲ ଲୋକଙ୍କ ଭିଡ ଜମିଥିଲା । ପୋଖରୀରେ ଲଟା ଥିବା କାରଣରୁ ବିମାନଟି ବୁଡି ପାରି ନ ଥିଲା ଏବଂ ଦୁଇ ପାଇଲଟ ବଞ୍ଚି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଦୁଇ ପାଇଲଟଙ୍କୁ ବିମାନରୁ ବାହାର କରି ହସ୍ପିଟାଲ୍ ପଠାଇଛନ୍ତି ।
କିଛି ସମୟ ପରେ ସ୍ଥାନୀୟ ପୋଲିସ, ଏସଡିଆରଏଫର ଟିମ୍ ଓ ବାୟୁସେନା ଦଳ ମଧ୍ୟ ହେଲିକପ୍ଟରରେ ପହଞ୍ଚିଥିଲେ । ବିମାନକୁ ପୋଖରୀରୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ବଡ କଥା ବିମାନଟି ପୋଖରୀରେ ଖସିବାରୁ ଦୁଇ ପାଲଟଙ୍କ ଜୀବନ ବଞ୍ଚି ଯାଇଛି ଏବଂ ବଡ ଦୁର୍ଘଟଣା ଟଳି ଯାଇଛି ।