କଟକ: ବେଆଇନ ଖଣି ଖନନକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାରେ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ବେଆଇନ ଖଣି ଖନନର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସହିତ ଏହାକୁ ରୋକିବାକୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶରେ କହିଛନ୍ତି ।
ଆବେଦନକାରୀ ଶ୍ରବଣ କୁମାର ଦେବଙ୍କ ବେଆଇନ ଖଣି ଖନନକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାପପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟରେ ବେଆଇନ ଖଣି କାରବାରରେ ସଂପୃକ୍ତ ବ୍ୟକ୍ତି ବିଶେଷ ଓ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି । ୨୦୧୭ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁ ନାହାଁନ୍ତି । ଖଣି ଲିଜଧାରୀମାନେ ନିର୍ଦ୍ଧାରିତ ସୀମା ବାହାରେ ଏବଂ ଅଧିକ ପରିମାଣର ଖଣି ଖନନ କରୁଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଏହା ଦ୍ୱାରା ରାଜସ୍ୱ ହାନୀ ହେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଖଣ୍ଡପୀଠ ମାମଲାର ଶୁଣାଣି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରି ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।