ପଟାଙ୍ଗୀ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିର ଯୋଡ଼ିମାଦିଲି ଗାଁ ନିକଟରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଲା ଏକ ଟ୍ରଲର। ଦୁର୍ଘଟଣା ପରେ ଟ୍ରଲରଟିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଛି। ତେବେ ଦୃଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଜୟପ୍ରକାଶ ବର୍ମା।
ସୂଚନା ଅନୁଯାୟୀ, ଟ୍ରଲରଟି ଏକ ମୋଡ଼ ନେବା ସମୟରେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ଖସିପଡ଼ିବା ପରେ ଗାଡ଼ିଟି ତୁରନ୍ତ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ସୌଭାଗ୍ୟବଶତଃ, ନିଆଁ ଟ୍ରେଲରକୁ ଗ୍ରାସ କରିବା ପୂର୍ବରୁ ଡ୍ରାଇଭର ଏବଂ ହେଲପର ଉଭୟ ଖସିଯିବାରେ ସଫଳ ହୋଇଥିଲେ। ଦୁର୍ଘଟଣା ଯୋଗୁଁ ବ୍ୟସ୍ତବହୁଳ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଶୁଙ୍କି ଥାନା ଅଧିକାରୀ ଚତୁର୍ଭୁଜ ନାୟକ ନିଜ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିବା ସହିତ ପଟାଙ୍ଗୀ ଅଗ୍ନିଶମ ବିଭାଗର ଟିମକୁ ଡକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରଲରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ପ୍ରେସର ପାଇପ୍ ଫାଟି ଲାଗିଲା ନିଆଁ
ସୂଚନା ଅନୁଯାୟୀ, ଉକ୍ତ ଟ୍ରଲର ନମ୍ବର(ଏପି୩୯ୟୁଏମ୍୬୧୮୩) ଗାଡ଼ିଟି ଆନ୍ଧ୍ର ରାଜ୍ୟର ଆରକୁରୁ ବାହାରି ଓଡ଼ିଶାର ନନ୍ଦପୁର ସେମିଳିଗୁଡା ପଟାଙ୍ଗୀ ହୋଇ ୨୬ ନମ୍ବର ଜାତୀୟ ରାଜପଥରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଯାଉଥିଲା। ଟ୍ରଲରଟି ବ୍ରେକ୍ ଫେଲ୍ ହୋଇଯିବା ଫଳରେ ପ୍ରେସର ପାଇପ୍ ଫାଟି ନିଆଁ ଲାଗିଯାଇଥିବା ଡ୍ରାଇଭର ବର୍ମା କହିଛନ୍ତି।