ବାଲିପାଟଣା: ରାଜ୍ୟରେ ଦୁଇଟି ସ୍ଥାନରେ ମାମୁଁ ଭଣଜାଙ୍କ ସମ୍ପର୍କରେ ଶତ୍ରୁତା ଦେଖିବାକୁ ମିଳିଛି । ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଭଜଣାକୁ ଛୁରି ଭୁସି ହତ୍ୟା କରିଛି ସମ୍ପର୍କୀୟ ମାମୁଁ । ସେପଟେ ବଲାଙ୍ଗୀର ଲୋକଉତ୍ସବବେଳେ ଭଣଜାର କୋଦଳ ଚୋଟରେ ମାମୁଁ ମୃତ ।
ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମ ନିକଟରେ ତ୍ରିବେଣୀ ମହୋତ୍ସବ ଚାଲିଥିବାବେଳେ ହୋଇଛି ରକ୍ତପାତ । ଭଣଜାକୁ ଛୁରୀ ଭୁସି ହତ୍ୟା କରିଛି ସମ୍ପର୍କୀୟ ମାମୁଁ । ମୃତକ ହେଲେ ଭାପୁର ନାଥ ସାହିର ଲିପୁ ନାଥ । ଅଭିଯୁକ୍ତ ହେଲେ ସମ୍ପର୍କୀୟ ମାମୁ ମିଥୁନ ନାଥ ଫେରାର ହୋଇଯାଇଛି। ଅଭିଯୁକ୍ତ ହତ୍ୟାକାଣ୍ଡ ପରେ ଫେରାର ରହିଛି । ରାତି ପ୍ରାୟ ୧୧ଟା ସମୟରେ ମିଥୁନ ସେଠାରେ ବୁଲାବୁଲି କରୁଥିଲା । ଭଣଜା ଲିପୁ ସେଠାରେ ଫୋନରେ କାହା ସହିତ କଥା ହେଉଥିଲା ଏବଂ ଗାଳି ଗୁଲଜ କରୁଥିଲା । ମିଥୁନ ଏହାକୁ ନିଜ ଦେହକୁ ନେଇଥିଲା ଏବଂ ରାଗି ଯାଇଥିଲା । ଲିପୁକୁ ଗାଳି ଗୁଲଜ କରିଥିଲା । ମିଥୁନ ଉତକ୍ଷିପ୍ତ ହୋଇ ତା ନିକଟରେ ଥିବା ଏକ ଭୁଜାଲିରେ ହତ୍ୟା କରିଥିଲା । ବାରମ୍ବାର ତା ପେଟକୁ ଛୁରି ଭୁସି ହତ୍ୟା କରିଥିଲା । ପ୍ରଥମେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ କ୍ୟାପିଟାଲ୍ ହସ୍ପିଟାଲକୁ ରେଫର କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିପାଟଣା ଥାନା ପୋଲିସ ଛାନଭିନ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି।
ବଲାଙ୍ଗୀର ଲୋକଉତ୍ସବର ଦ୍ଵିତୀୟ ସନ୍ଧ୍ୟା ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ଉତ୍ସବର ମଜା ଉଠାଉଥିବାବେଳେ ସହର ଭିତରେ ଘଟିଛି ଏକ ହତ୍ୟାକାଣ୍ଡ । ଟାଉନ୍ ଥାନା ଅନ୍ତର୍ଗତ ତୁଳସୀନଗର ପଡ଼ାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ପିଟିପିଟି ହତ୍ୟା କରାଯାଇଛି । ପାରିବାରିକ କଳହରୁ ମାମୁଁକୁ ଭଣଜା ଘର ଲୋକେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ରାତି ପାଖାପାଖି ୧୧ଟା ସମୟରେ ପଡ଼ାର ଗଳିରେ ଯଦୁମଣି ଗୁରୁତର ହୋଇ ପଡ଼ିଥିଲେ । ଯଦୁମଣିଙ୍କୁ ଭୀମଭୋଇ ଡାକ୍ତରଖାନାକୁ ନେଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ହିଁ ଯଦୁମଣିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।
ଖବର ପାଇ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚିଛି । କୌଣସି ଲୋକ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । ପାଖରେ ଏକ କୋଦାଳ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ଏହି କୋଦାଳରେ ହିଁ ଯଦୁମଣିଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଭଣଜା ଅଜୁ ବିଶି ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ପୋଲିସ ଅଜୁକୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ଛାନ୍ଭିନ୍ କରୁଛି ।