ବାଲେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଶାସକ ଓ ବିରୋଧୀଙ୍କ ଟଣା ଓଟରା ମଧ୍ୟରେ ଆସିଛି ବଡ଼ ଖବର। ଆଉ ଏହି ଖବର ବିଜେଡି ପାଇଁ ବଡ଼ ଝଟକା ହୋଇ ନ ଥିଲେ ବି ଝଟକା ବୋଲି କୁହାଯାଇ ପାରିବ। ବିଜେଡି ଛାଡ଼ିଛନ୍ତି ପୂର୍ବତନ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା। ସେ ଅପ୍ରତ୍ୟାଶିତ ଭାବେ ମଙ୍ଗଳବାର ବିଜୁ ଜନତା ଦଲର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କର ଅଚାନକ ଇସ୍ତଫା ନେଇ ବାଲେଶ୍ଵର ବିଜେଡିଠୁ ନେଇ ଭୁବନେଶ୍ଵର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି।
ରବୀନ୍ଦ୍ର ଜେନା ବ୍ୟକ୍ତିଗତ କାରଣ ଓ ପରିସ୍ଥିତି ପାଇଁ ଦଳ ଛାଡ଼ୁଥିବା ଦର୍ଶାଇଛନ୍ତି। ତଥାପି ଦଳ ସହିତ ଦୀର୍ଘ ଦିନର ଯାତ୍ରା ସ୍ମରଣୀୟ ହୋଇ ରହିବ। ସମସ୍ତ ଦଳୀୟ ଦାୟିତ୍ଵରୁ ତୁରନ୍ତ ଅବ୍ୟାହତି ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ବାଲେଶ୍ଵର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିଲେ। ବିଜେଡି ଛାଡିବା ପରେ ବିଜେପିରେ ସେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି। ଏପରିକି ଆସନ୍ତାକାଲି ବିଜେପିରେ ରବୀନ୍ଦ୍ର ଜେନା ମିଶି ପାରନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଦଳୀୟ ସୂତ୍ରରୁ ପ୍ରକାଶ। ସମର୍ଥକଙ୍କ ସହିତ ଅନେକ ଲୋକ ପ୍ରତିନିଧି ସାମିଲ୍ ହେବାର ସମ୍ଭାବନା ରହିଛି।
ଯଦି ଏମିତି ହୁଏ ତେବେ ବାଲେଶ୍ଵର ବିଜେଡିକୁ ବଡ଼ ଝଟକା ଲାଗିପାରେ। ରବୀନ୍ଦ୍ରଙ୍କ ବିଜେପିରେ ମିଶିବା ବିଜେଡି ଜିଲ୍ଲା ସଂଗଠନକୁ ଦୁର୍ବଳ କରିପାରେ। କାରଣ ରବୀନ୍ଦ୍ର ବିଜେଡିର ଅନେକ ସାଂଗଠନିକ ପଦରେ ଥିଲେ। ଉଲ୍ଲେଖନୀୟ ରବୀନ୍ଦ୍ର ଜେନା ୨୦୧୪ରେ ବିଜେଡି ଟିକେଟ୍ ନିର୍ବାଚନ ଲଢି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆଉ ପ୍ରଥମ ଥର ହିଁ ବାଲେଶ୍ଵର ଲୋକସଭାରୁ ବିଜେଡି ବିଜୟୀ ହୋଇଥିଲା। ହେଲେ ୨୦୧୯ରୁ ବାଲେଶ୍ଵର ସଂସଦୀୟ କ୍ଷେତ୍ର ବିଜେପି କବଜାରେ ରହିଛି।
୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ବାଲେଶ୍ବର ବିଜେଡିର ସଭାପତି ସହ ବିଭିନ୍ନ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ଯଦି ରବୀନ୍ଦ୍ର ବିଜେପିରେ ମିଶନ୍ତି ହୋଇପାରେ ୨୦୨୯ରେ ତାଙ୍କୁ ଦଳ ପ୍ରାର୍ଥୀ କରିପାରେ। ତେବେ ଅନ୍ୟପଟେ ୨୦୨୪ ନିର୍ବାଚନରେ ବିଜେଡି ରବୀନ୍ଦ୍ରଙ୍କୁ ଟିକେଟ୍ ଦେଇ ନ ଥିଲା। କିନ୍ତୁ ତାଙ୍କ ପତ୍ନୀ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକେଟରେ ବସ୍ତା ଆସନରେ ବିପୁଳ ଭୋଟ ପାଇ ବିଜୟୀ ହୋଇଥିଲେ।
Also read: ଓଡ଼ିଶାରେ ରନ୍ଧନ ଗ୍ୟାସ ସଙ୍କଟ ଭିତରେ ରାଜ୍ୟ ସରକାର ଦେଲେ ଖୁସି ଖବର; ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ