ଭୁବନେଶ୍ୱର: ଆସନ୍ତା ଜୁନ ସୁଦ୍ଧା ପୌର ନିର୍ବାଚନ ଶେଷ ହେବ । ନୂତନ ଘୋଷିତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସରକାରଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଚିଠି ଲେଖି ଅବଗତ କରିଛନ୍ତି ।
ନିୟମାନୁସାରେ ନୂତନ ଘୋଷିତ ପୌରଞ୍ଚାଳରେ ଛଅ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟରେ ୨୪ଟି ଏନଏସି ଓ ପୌର ପାଳିକା ଘୋଷଣା କରିଥିଲେ । ସେଥିପାଇଁ ନିର୍ବାଚନ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢୀ଼ଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର, ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ ଦାସ, ସମସ୍ତ ୮ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଉପସ୍ଥିତ ଥିଲେ। ଆସନ୍ତା ଜୁନ୍ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ କରିବା ସହ ପ୍ରଥମ ପରିଷଦ ବୈଠକ ବସିବ । ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଚିଠି ଲେଖି ଅବଗତ କରିଛନ୍ତି । ଏହା ପୂର୍ବରୁ ୧୪ଟି ଜିଲ୍ଲାର ଘୋଷିତ ୨୪ଟି ଏନ୍ଏସିରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଏହାପରେ ଆସନ ସଂରକ୍ଷଣ କାମ ଶେଷ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଭୋଟର ତାଲିକା ପ୍ରସ୍ତୁତି ପାଇଁ ୪୫ ଦିନ ଓ ମତଦାନ ପ୍ରକ୍ରିୟା ପାଇଁ ୩୫ ଦିନ ସମୟ ଲାଗିବ। ଜୁନ ଶେଷ ସୁଦ୍ଧା ସମସ୍ତ ନୂତନ ଏନ୍ଏସିରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
ଗତ ଡିସେମ୍ବର ମାସରେ ରାଜ୍ୟ ସରକାର, ପାଳଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଳି ଓ ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ପ୍ରଦାନ କରିଛନ୍ତି।