ପୁରୀ: ମହାପ୍ରଭୁଙ୍କ ଏଆଇ ଭିଡିଓ ଭାଇରାଲ ଘଟଣା, ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ। ସାମାଜିକ ଗଣମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ବିକୃତ କରି ଏଆଇ ଭିଡିଓ ଭାଇରାଲ କରିବା ଘଟଣାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ପୁରୀ ସାଇବର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଦୋଷୀଙ୍କ ବିରୋଧରୋ କଠୋର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ। ଏଥିସହ ଭିଡିଓ ଭାଇରାଲ ହୋଇଥିବା ୱେବସାଇଟକୁ ତଥ୍ୟ ମାଗିଛି ପୁରୀ ପୋଲିସ। ତେବେ କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ପୋଷ୍ଟ କରାଯାଇଛି ତା’ର ତଦନ୍ତ ହେବ ବୋଲି ପୋଲିସ କହିଛି।
ସୋମବାର vishvrajcreation ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ପ୍ରସ୍ତୁତ ଭିଡିଓ ପୋଷ୍ଟ ହୋଇଥିଲା। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା। ଏଣୁ ଏନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ପୁରୀ ସିଂହଦ୍ଵାର ସାଇବର ଥାନାରେ ଏକ ଏଫ୍.ଆଇ.ଆର ମଧ୍ୟ ରୁଜୁ ହୋଇଥିଲା।
AI ଦ୍ୱାରା ପ୍ରସ୍ତୁତ ଫଟୋରେ ମହାପ୍ରଭୁଙ୍କ ପାଦ ବି ଦେଖିବାକୁ ମିଳୁଛି। ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ଉପରେ କ୍ରେନ୍ରେ ଦୁଗ୍ଧ ଢାଳିବା ଭଳି କୌଣସି ବିଧି ନଥିବାରୁ, ଏହା ଶ୍ରୀମନ୍ଦିରର ପରମ୍ପରା ସଂପର୍କରେ ଭ୍ରମ ସୃଷ୍ଟି କରୁଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା ଦିଆଯାଇଛି।
AI ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିକୁ କାରଣ ଦର୍ଶାଅ ନୋଟିସ୍:
ଏଆଇ ଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଏସପି ପ୍ରତୀକ ସିଂ କହିଛନ୍ତି,"ଯେଉଁ ବ୍ୟକ୍ତି ଏହି ଭିଡିଓ ଅପଲୋଡ଼ କରିଛନ୍ତି, ତାଙ୍କୁ ପୋଲିସ ପକ୍ଷରୁ ଚିଠି ମାଧ୍ୟମରେ ଜବାବ୍ ତଲବ କରାଯାଇଛି । ଭିଡିଓ ପଛର କ'ଣ ଉଦ୍ଦେଶ୍ୟ ରହିଛି ? ତାର ସ୍ପଷ୍ଟୀକରଣ ମଗା ଯାଇଥିବା ବେଳେ ଘଟଣାର ତଦନ୍ତ ପରେ ଜଗନ୍ନାଥ ମନ୍ଦିର ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ କୌଣସି ବିକୃତ ଏବଂ ଭ୍ରମାତ୍ମକ ତଥ୍ୟ ଥିବା ଭିଡିଓ ସୋସିଆଲ ମିଡ଼ିଆରେ ଯେଉଁ ବ୍ୟକ୍ତି ଅପଲୋଡ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।" ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟ ନକରିବାକୁ ପରାମର୍ଶ ଦେଇଛନ୍ତି ଏସପି। ଅନ୍ୟପଟେ କୌଣସି ଲୋକ ମହାପ୍ରଭୁଙ୍କ ପରମ୍ପରାକୁ ନେଇ ବିକୃତ ନକରନ୍ତୁ ବୋଲି କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ।