ଭୁବନେଶ୍ୱର: ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍, ଚାଲିବ ଇଭି ଗାଡି। ଡିଜେଲ ଚାଳିତ ଆମ ବସ୍ କୁ ହଟାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ଏଣିକି ରାସ୍ତାରେ କେବଳ ଇଭିର ଆମ ବସ୍ ଚାଲିବ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଏକ ବଡ଼ ଘୋଷଣା କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଯେତେ ସବୁ ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କାର୍ପ କରାଯିବା ସହ ଇଭି ବସ୍ ଆଣାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି ମହିଳାମାନେ ଆମ ବସ୍ ଚଳାଇବେ। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ। ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ। ତାଲିମ ନେବା ପରେ ମହିଳାମାନେ ସ୍ୱତନ୍ତ୍ର ବସ୍ ଚଳାଇବେ। ଯାହା ଦ୍ୱାରା ମହିଳା ଯାତ୍ରୀମାନେ ଅଧିକ ସୁରକ୍ଷିତ ମନେ କରିବେ।
ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ପାଇଁ ପୁନେ ଯାତ୍ରା କରିବେ। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।