ନୂଆଦିଲ୍ଲୀ: ଜାପାନର ପ୍ରଭାବଶାଳୀ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ମାମଲାରେ ସ୍ଥାନୀୟ ଅଦାଲତ ରାୟ ଶୁଣାଇଛନ୍ତି । ବୁଧବାର ନାରା ଜିଲ୍ଲା ଅଦାଲତ ଅଭିଯୁକ୍ତ ତେତ୍ସୁୟା ୟାମାଗାମୀ (୪୫)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହି ହତ୍ୟା ମାମଲାରେ ଅକ୍ଟୋବର ମାସରୁ ଶୁଣାଣି ଆରମ୍ଭ ହୋଇଥିଲା । ହତ୍ୟାକାରୀ ୟାମାଗାମୀ ନିଜ ଦୋଷ ସ୍ୱୀକାର ମଧ୍ୟ କରିଥିଲା । ୟୁନିଫିକେସନ୍ ଚର୍ଚ୍ଚ ସହିତ ଜଡ଼ିତ ଏକ ଭିଡ଼ିଓ ଦେଖିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିଥିବା ବିଚାରପତିଙ୍କ ସମ୍ମୁଖରେ କହିଥିଲା । ସେ ସେହି ଚର୍ଚ୍ଚକୁ ଘୃଣା କରୁଥିବାରୁ ତାର କ୍ଷତି କରିବାକୁ ଚାହୁଁଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ହତ୍ୟାରୁ ସେ ତାହାକୁ ଉଜ୍ଜାଗର କରିବାକୁ ଚାହୁଁଥିଲା । କୋର୍ଟ ୟାମାଗାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତଙ୍କ ଓକିଲ ୨୦ ବର୍ଷରୁ କମ୍ ସଜା ଶୁଣାଇବାକୁ ଅନୁରୋଧ କରିଥିଲେ । ମାତ୍ର ଅଦାଲତ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
୮ ଜୁଲାଇ, ୨୦୨୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପଶ୍ଚିମ ସହର ନାରାରେ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ତାଙ୍କୁ ଗୁଳି କରି କରାଯାଇଥିଲା । ତାଙ୍କ ବେକରେ ଗୁଳି ଲାଗିଥିଲା । ସିଞ୍ଜୋଙ୍କୁ ତୁରନ୍ତ ନାରା ମେଡ଼ିକାଲ ୟୁନିଭର୍ସିଟି ହସ୍ପିଟାଲକୁ ଏୟାର ଲିପ୍ଟ କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସିଞ୍ଜୋ ଜଣେ ପ୍ରବାଭଶାଳୀ ନେତା ଥିବାରୁ ଏହି ଘଟଣା ଜାପାନ ସହ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା ।
ଜାପାନ ଆଇନ ବ୍ୟବସ୍ଥାରେ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି । କିନ୍ତୁ ଯେପର୍ଯ୍ୟନ୍ତ ଦୁଇ ଜଣଙ୍କ ହତ୍ୟା ନ ହୋଇଛି ପବ୍ଲିକ ପ୍ରସିକ୍ୟୁଟରମାନେ ଏହା ଖୋଜନ୍ତି ନାହିଁ।