ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ସଂପ୍ରତି ଚରମରେ ରହିଛି । ଉଭୟ ଦେଶ ପରସ୍ପରକୁ ଆକ୍ରମଣର ଧମକ ଦେବା ଯୁଦ୍ଧର ଆଶଙ୍କାକୁ ବଢାଇ ଦେଉଛି । ଇରାନରେ ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କଠୋର ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଯଦି ଇରାନରେ ସ୍ଥିତି ଏମିତି ଜାରି ରହେ ତେବେ ପୂରା ଦେଶ ଧ୍ୱଂସ ହୋଇଯିବ । ଏହି ବୟାନ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢି ଯାଇଛି ।
ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଯଦି କୌଣସି ଘଟଣା ଘଟେ ତେବେ ଇରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ମୁଁ ପୂର୍ବରୁ ମଧ୍ୟ ଚେତାବନୀ ଦେଇଛି ଯେ, ଯଦି କିଛି ଘଟେ ତେବେ ପୂରା ଦେଶ ଧ୍ୱଂସ ହୋଇଯିବ ।
ଇରାନ ପକ୍ଷରୁ ସଂପୂର୍ଣ୍ଣ ଯୁଦ୍ଧର ଚେତାବନୀ ମିଳିବା ଉପରେ ଟ୍ରମ୍ପ କହିଛନ୍ତି, ଯଦି କିଛି ହମଲା ହୁଏ ତେବେ ଇରାନକୁ ବିଶ୍ୱ ମାନଚିତ୍ରରୁ ହଟାଇ ଦେବି । ଇରାନ ମଧ୍ୟ ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଇଛି । ଇରାନୀ ସେନାର ମୁଖପାତ୍ର ଜେନେରାଲ ଅବୋଲଫଜଲ ଶେଖରଚି କହିଛନ୍ତି, ଯଦି ଦେଶର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ବିରୋଧରେ ଆମେରିକା କୌଣସି ପଦକ୍ଷେପ ଉଠାଏ ତେବେ ଇରାନ ମୁହଁତୋଡ ଜବାବ ଦେବ । ଆମେ କେବଳ ହାତ କାଟିବୁ ନାହିଁ ପୂରା ଦୁନିଆ ଜଳାଇ ଦେବୁ ।
ଏହା ପୂର୍ବରୁ ଏକ ସାକ୍ଷାତକାରରେ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କୁ ରୋଗୀଣ ମଣିଷ କହିଥିଲେ । ସେ କହିଥିଲେ, ଖାମେନିଙ୍କୁ ନିଜ ଦେଶ ଠିକରେ ଚଳାଇବା ଉଚିତ୍ ଏବଂ ହତ୍ୟା ବନ୍ଦ କରି ଦେବା ଉଚିତ୍ । ଏ ପର୍ଯ୍ୟନ୍ତ ଇରାନରେ ଆନ୍ଦୋଳନ ସମୟରେ ଅତି କମରେ ୪ ହଜାର ୫୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ୨୬ ହଜାର ୩୦୦ରୁ ଅଧିକ ଲୋକଙ୍କ ଗିରଫ କରାଯାଇଛି ।
Also read: ଭେନେଜୁଏଲା ପାଇଁ ବଡ଼ ଘୋଷଣା କଲେ ଟ୍ରମ୍ପ, ମାଚାଡୋଙ୍କ ପାଇଁ ଦେବେ ଉପହାର