ବଲାଙ୍ଗୀର : ପୋଖରୀରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସ ପକ୍ଷରୁ ତଦନ୍ତ ଜାରି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ସାଲେଭଟା ଅଞ୍ଚଳରେ । ପୋଖରୀ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ହେଲେ ସାଲେଭଟାର କିସନ ମହାପାତ୍ର । ସୂଚନା ଅନୁସାରେ କିସନ ଗତ ରବିବାରରୁ ନିଖୋଜ ରହିଥିଲେ । ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିବା ସହ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା ।
ଏନେଇ ପୋଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ କରାଯାଉଥିଲା । ମଙ୍ଗଳବାର ସକାଳେ ସାଲେଭଟାର ଏକ ପୋଖରୀ ନିକଟରୁ ପୁଲିସ ଏକ ମୃତଦେହ ଉଦ୍ଧାର କରିଥିଲା l ମୃତକଙ୍କ ଚେହେରା ନଷ୍ଟ ହୋଇଥିବା ବେଳେ ପେଟ ରେ ଖ୍ୟାତ ହୋଇଯାଇଥିବା ଦେଖିବାକୁ ମିଳିଛି କପଡ଼ା ଦେଖି ଏହା କିସନଙ୍କ ମୃତଦେହ ବୋଲି ପୁଲିସ ଚିହ୍ନଟ କରିଛି । କିସନଙ୍କୁ ହତ୍ୟା କରାଯାଇଛି ନା ଆଉ କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି । କିସନଙ୍କୁ କେହି ହତ୍ୟା କରିଥିବା ନେଇ ବଡ଼ଭାଇ କିଶୋର ମହାପାତ୍ର ସନ୍ଦେହ କରିଛନ୍ତି । ସାଲେଭଟା ଫାଣ୍ଡି ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଲୋଇସିଂହା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ହତ୍ୟାକାରୀଙ୍କୁ ଗିରଫ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି ।