ସୋନପୁର: ସୋନପୁର ସହରର କଂଗ୍ରେସ ନେତାଙ୍କ ମୃତ୍ୟୁ ହୋଇଛି । ମୃତ କଂଗ୍ରେସ ନେତା ହେଲେ ରାଜେଶ ମିଶ୍ର । ନିଜ ବାସଭବନରେ ବନ୍ଦ କୋଠରୀରୁ ରାଜେଶଙ୍କର ଗୁଳି ବିଦ୍ଧ ମୃତ ଦେହ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ସହରର ଭଗବତୀ ପ୍ଲଟର ଥିବା ନିଜ ଘରେ ରାଜେଶ ନିଜକୁ ଗୁଳି କରିଦେଇଥିଲେ । ପରିବାର ଲୋକେ ଗୁଳି ଶବ୍ଦ ଶୁଣି କବାଟ ଭାଙ୍ଗି ରାଜେଶଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ରାଜେଶଙ୍କ ମୃତ ଦେହକୁ ଜବତ କରିଛି । ରାଜେଶ ଆତ୍ମହତ୍ୟା କରିଥିବା ପ୍ରାଥମିକ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ସେ ନିଜ ପାଖରେ ରଖିଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ହିଁ ନିଜକୁ ଗୁଳି କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ସାରା ସୋନପୁର ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ ରାଜେଶ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ପହଁଚି ଛାନଭିନ୍ କରିବ ବୋଲି ଜଣାପଡ଼ିଛି ।