ଖୋର୍ଦ୍ଧା: ବେଆଇନ ପଥର ଖଣି ଖାଦାନକୁ ନେଇ ଗୁଳିକାଣ୍ଡ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି-ପରିଛକ ରାସ୍ତାର ଦଲକ ଗାଁ ନିକଟରେ ଗୁଳିମାଡ଼ରେ ଜଣେ ବ୍ୟବସାୟୀଙ୍କ ମୁଣ୍ଡ ଗଡ଼ିଛି । ସେ ହେଲେ ଜାମୁଝରୀ ଗ୍ରାମର ବାସୁଦେବ ପରିଡ଼ା । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବେଆଇନ ପଥର ଖଣି କାରବାରକୁ ନେଇ ହୋଇଥିବା ପୋଲିସ ଅନୁମାନ କରିଛି ।
ସୋମବାର ରାତି ପ୍ରାୟ ୮ଟାରେ ବାସୁଦେବ ପରିଡ଼ା ଯାଉଥିବାବେଳେ ଦଲକ ଗାଁ ନିକଟ କେହି ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଚମ୍ପଟ୍ ମାରିଥିଲା । ଗୋଟିଏ ଗୁଳି ତାଙ୍କ ଛାତିରେ ଏବଂ ଆଉ ଗୋଟିଏ ମୁଣ୍ଡରେ ବାଜିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।
ଏ ନେଇ ବେଗୁନିଆ ଥାନାକୁ ଖବର ଦିଆଯିବା ପରେ ପୋଲିସ ମେଡ଼ିକାଲରେ ପହଁଚି ମୃତ ଦେହକୁ ଜବତ କରିଛି । ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଗୋଟିଏ ଖୋକା ଏବଂ ଏକ ବୁଲେଟ୍ ଗାଡ଼ି ମିଳିଛି । ଗାଡ଼ିଟି ଅଭିଯୁକ୍ତମାନଙ୍କର ହୋଇଥିବା ପୋଲିସ ଅନୁମାନ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟି ରହିଛି । ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବେଗୁନିଆ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ କହିଛନ୍ତି ।