ନାଗପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବୁଧବାର ନାଗପୁରର ଭିସିଏ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି. ତିଲକ ବର୍ମା ଆଘାତ ଯୋଗୁଁ ଏହି ଟି-୨୦ ଖେଳିପାରିବେ ନାହିଁ, ଯାହା ଫଳରେ ନମ୍ବର ୩ ସ୍ଥାନ ଖାଲି ରହିଛି। ସୂର୍ଯ୍ୟକୁମାରଙ୍କ ବୟାନରୁ ଜଣାପଡୁଛି ଯେ ଶ୍ରେୟସ ଆୟରଙ୍କୁ ନମ୍ବର ୫ ସ୍ଥାନ ପାଇଁ ବିଚାର କରାଯାଇପାରେ।
ତିଲକ ବର୍ମାଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇଥିଲା। ଫଳରେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚରୁ ବାଦ୍ ଦିଆଯାଇଛି। ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଶ୍ରେୟସ ଆୟରଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଯାଇଛି।
ତିଳକ ବର୍ମାଙ୍କ ସ୍ଥାନରେ କିଏ ଖେଳିବେ ?
ପ୍ରଥମ ଟି-୨୦ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଇଶାନ କିଶନ ଆମର ଟି-୨୦ ବିଶ୍ୱକପ୍ ଦଳରେ ସାମିଲ ହୋଇଥିବାରୁ ସେ ୩ ନମ୍ବରରେ ବ୍ୟାଟିଂ କରିବେ। ତାଙ୍କୁ ପ୍ରଥମେ ଦଳରେ ଚୟନ କରାଯାଇଥିଲା, ତେଣୁ ତାଙ୍କୁ ପ୍ରଥମ ସୁଯୋଗ ଦେବା ଆମର ଦାୟିତ୍ଵ। ଇଶାନ ବିଶ୍ଵକପ୍ ଦଳରେ ସାମିଲ, ତେଣୁ ସେ ଶ୍ରେୟସଙ୍କ ପୂର୍ବରୁ ସୁଯୋଗ ପାଇବାକୁ ଯୋଗ୍ୟ।
ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି ଯେ ଯଦି ଆଲୋଚନା ଚତୁର୍ଥ କିମ୍ବା ପଞ୍ଚମ କ୍ରମର ବ୍ୟାଟରଙ୍କ ବିଷୟରେ ହୋଇଥାନ୍ତା, ତେବେ ହୁଏତ ଅନ୍ୟ ନାମ (ଯେପରିକି ଶ୍ରେୟସ ଆୟର) ବିଚାର କରାଯାଇପାରିଥାନ୍ତା, କିନ୍ତୁ ତିଳକ ବର୍ମାଙ୍କ ଅନୁପସ୍ଥିତିରେ, ଇଶାନ କିଶନ ୩ ନମ୍ବର ସ୍ଥାନ ପାଇଁ ସର୍ବୋତ୍ତମ ବିକଳ୍ପ ବୋଲି ମନେହୁଏ। ସୂର୍ଯ୍ୟକୁମାର ଯାଦବ ନିଜେ ଟି-୨୦ରେ ୩ ନମ୍ବରରେ ବହୁତ ସଫଳ ହୋଇଛନ୍ତି। ୩ ନମ୍ବରରେ ବ୍ୟାଟିଂ କରିବା ବିଷୟରେ ପଚରାଯିବାରୁ ସୂର୍ଯ୍ୟ କହିଥିଲେ ଯେ ସେ ଯେକୌଣସି ବ୍ୟାଟିଂ ସ୍ଥାନ ପାଇଁ ପ୍ରସ୍ତୁତ ରହିବାକୁ ଚାହାଁନ୍ତି।
ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଇଶାନ କିଶନ(ଓ୍ଵିକେଟ୍ କିପର) ଏବଂ ରବି ବିଷ୍ଣୋଇ।
Also read: ସେଂଟ୍ରାଲ କଣ୍ଟ୍ରାକ୍ଟ ଉପରେ ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ, କୋହଲି-ରୋହିତଙ୍କ ଡିମୋଶନ ପକ୍କା !