ନୂଆଦିଲ୍ଲୀ: ବହୁ ବିବାଦ ଏବଂ ଟଣା ଓଟରା ପରେ ଶେଷରେ ୨୦୨୬ ଟି୨୦ ବିଶ୍ଵକପରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ। ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ଗ୍ରୁପ୍ ସିରେ ସାମିଲ କରିଛି। ଶନିବାର ଏ ନେଇ ସୂଚନା ଦେଇଛି ଆଇସିସି। ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ, ବିସିବି ଏହାର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା, ଯାହାକୁ ପୂର୍ବରୁ ଆଇସିସି ପ୍ରତ୍ୟାଖ୍ୟାନ କରିଥିଲା। ଏହା ପରେ, ବିସିବି କହିଛି ଯେ ଯଦି ଏହାର ମ୍ୟାଚ୍ ଭାରତରେ ଅନୁଷ୍ଠିତ ହୁଏ ତେବେ ଏହା ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିବ। ଆଇସିସି ଏବେ ବାଂଲାଦେଶର ବଦଳ ଭାବରେ ସ୍କଟଲାଣ୍ଡକୁ ସାମିଲ କରିଛି।
କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ସ୍କଟଲାଣ୍ଡକୁ ଆନୁଷ୍ଠାନିକ ଭାବରେ ୨୦୨୬ ଟି୨୦ ବିଶ୍ୱକପରେ ସାମିଲ କରାଯାଇଛି। ଦଲକୁ ସି ଗ୍ରୁପରେ ରଖା ଯାଇଛି। ଏହାର ଅର୍ଥ ହେଉଛି ସ୍କଟଲାଣ୍ଡ କୋଲକାତାର ଇଡେନ୍ ଗାର୍ଡେନରେ ନିଜର ପ୍ରଥମ ତିନୋଟି ମ୍ୟାଚ୍ ଖେଳିବ, ଫେବୃଆରୀ ୭ (ୱେଷ୍ଟଇଣ୍ଡିଜ୍ ବିପକ୍ଷରେ), ୯ (ଇଟାଲୀ ବିପକ୍ଷରେ) ଏବଂ ୧୪ (ଇଂଲଣ୍ଡ ବିପକ୍ଷରେ)। ସ୍କଟଲାଣ୍ଡର ମ୍ୟାଚ୍ ଫେବୃଆରୀ ୧୭ ରେ ମୁମ୍ବାଇରେ ନେପାଳ ବିପକ୍ଷରେ ହେବ।
ଆଇସିସି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ନିଷ୍ପତ୍ତି ଜଣାଇବା ପାଇଁ ୨୪ ଘଣ୍ଟା ସମୟ ଦେଇଥିଲା, ଯାହା ପରେ ଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ଟୁର୍ଣ୍ଣାମେଣ୍ଟରେ ସ୍କଟଲାଣ୍ଡକୁ ସାମିଲ କରିଥିଲା। ଅନେକ ପ୍ରମୁଖ ବ୍ୟକ୍ତି ବାଂଲାଦେଶର ନିଷ୍ପତ୍ତିକୁ ମୂର୍ଖତା ବୋଲି ବିବେଚନା କରିଛନ୍ତି। କାରଣ ବିଶ୍ଵକପ୍ ନ ଖେଳିଲେ ବାଂଲାଦେଶକୁ ପଖାପାଖି ୩୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ।
ବିବାଦ କେଉଁଠାରୁ ଆରମ୍ଭ ହୋଇଥିଲା?
ବାଂଲାଦେଶରେ ଦୁଇଜଣ ହିନ୍ଦୁ ଯୁବକଙ୍କ ହତ୍ୟା ପରେ, କେକେଆର ଫ୍ରାଞ୍ଚାଇଜ୍ ମୁସ୍ତାଫିଜୁର ରହମାନଙ୍କୁ ଦଳ ସାମିଲ୍ କରିବା ପାଇଁ ଭାରତରେ ବିରୋଧର ସମ୍ମୁଖୀନ ହୋଇଥିଲା। ପରେ ବିସିସିଆଇର ନିର୍ଦ୍ଦେଶକ୍ରମେ କେକେଆର ମୁସ୍ତାଫିଜୁର ରେହମାନଙ୍କୁ ଦଳରୁ ବାହାର କରିଥିଲା। ଏହାପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜର ଦଳକୁ ଟି-୨୦ ବିଶ୍ଵକପ୍ ପାଇଁ ଭାରତ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ନିଜର ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବାକୁ ଦାବି କରିଥିଲା। କିନ୍ତୁ ଆଇସିସି ବାଂଲାଦେଶର ସବୁ ଦାବି ପ୍ରତ୍ୟାଖ୍ୟାନ କରି ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ହୋଇ ପାରିବନି ବୋଲି ରୋକ୍ ଠୋକ୍ ଜଣାଇଥିଲା।