ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାରମ୍ବାର ବସ୍ ଦୁର୍ଘଟଣାକୁ ନେଇ ବିଜେଡି ବିଧାୟକ ଅନନ୍ତନାରାୟଣ ଜେନା କ୍ଷୋଭ ପ୍ରକାଶ କରିଛନ୍ତି । ବିଧାୟକ କହିଛନ୍ତି ଯେ ଦୈନନ୍ଦିନ ଗଣମାଧ୍ୟମରେ ଆମ ବସ୍ ଦୁର୍ଘଟଣା ଖବର ଆସୁଛି । ପୋଲିସମାନେ ମଧ୍ୟ ନିୟମିତ ଟେଷ୍ଟିଂ କରୁଛନ୍ତି । ତଥାପି ଦୁର୍ଘଟଣା ଘଟୁଛି । ଆମ ବସ୍ ଡ୍ରାଇଭର ମାନଙ୍କର ଦକ୍ଷତାର ଅଭାବ ଥିବା କହିଛନ୍ତି ବିଧାୟକ ।
ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ ଡ୍ରାଇଭରମାନଙ୍କ ମଧ୍ୟରେ ଦକ୍ଷତାର ଅଭାବ ରହିଛି । କାରଣ ସହରରେ ଆହୁରି ପ୍ରାଇଭେଟ୍ ବସ୍ ମଧ୍ୟ ଚାଲୁଛି । କିନ୍ତୁ କେବେବି ଏମିତି ଦୈନିକ ଦୁର୍ଘଟଣା ଘଟୁ ନାହିଁ । ଏହି ବସ୍ ଏବେ ନୁହେଁ ବହୁତ ଆଗରୁ ଚାଲୁଛି । ତେଣୁ ସମସ୍ତ ଡ୍ରାଇଭରଙ୍କୁ ପୁଣି ଥରେ ମାନସିକ ସ୍ତରରେ ତାଲିମ ଦେବାର ଆବଶ୍ୟକତା ରହିଥିବାର ପରାମର୍ଶ ଦେଇଛନ୍ତି ବିଧାୟକ ।