କଳାହାଣ୍ଡି: ଦଶ ଲକ୍ଷର କାମ ଦଶ ଦିନ ଗଲା ନାହିଁ । ନିମ୍ନମାନର କାମ କରି ନିଜ ପକେଟରେ ଟଙ୍କା ପୁରାଇ ଦେଲେ ଠକି ଦେଲେ ଠିକାଦାର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ପୌରପାଳିକା ୧ନମ୍ବର ଓ୍ବାର୍ଡ ରେ ନିର୍ମାଣଧିନ ପିଚୁ ରାସ୍ତାର ଅବସ୍ଥା ସପ୍ତାହ ପରେ ବେହାଲ । ପିଚୁ ରାସ୍ତାରେ ପିଚୁ ନାହିଁ, ଖାଲି ଗୋଡ଼ି ଆଉ ବାଲି । ନିମ୍ନମାନ ଠାରୁ ଅତି ନିମ୍ନମାନର କାମ କରି ବିଲ୍ ହଡ଼ପ ପାଇଁ ଠିକାଦାର ଓ ଯନ୍ତ୍ରୀ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ।
ଭବାନୀପାଟଣା ପୌର ପାଳିକାର ଅସଲ ଚେହେରା ସାମ୍ନାକୁ ଆସିଛି । ପୌର ପାଳିକା ଅଧିନରେ ଆସୁଥିବା ଏକ ନଂ ୱାର୍ଡର ହନୁମାନ ମନ୍ଦିରଠାରୁ ଗଣେଶ ମନ୍ଦିର ପର୍ଯ୍ୟନ୍ତ ପିଚୁ କାମ ହୋଇଛି । ଗତ ୧୪ ତାରିଖରେ ରାତି ଅଧିଆ ପିଚୁ କାମ କଲେ, ହେଲେ ସକାଳକୁ ଗୋଡ଼ ମାରିଲେ ପିଚୁ ଉଠିଗଲା । କାମ ସରିବାର ସପ୍ତାହେ ପୁରି ନାହିଁ ରାସ୍ତାର ଅବସ୍ଥା ଶୋଚନୀୟ। କେବଳ ଥରେ ନୁହେଁ ବର୍ଷକରେ ଦୁଇ ଦୁଇ ଥର ରାସ୍ତା କାମ ହୋଇଛି । ଥରେ କଂକ୍ରିଟ୍ ରାସ୍ତା ହେଲା, ବର୍ଷେ ନ ପୁରୁଣୁ ଖରାପ ହୋଇଗଲା । ଏହା ପରେ ପିଚୁ ରାସ୍ତା କାମ ହେଲା, ସେ ମଧ୍ୟ ସପ୍ତାହକରେ ଖରାପ ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯଦି ରାସ୍ତାର ପୁନଃ ନିର୍ମାଣ କରାନଯାଏ ତେବେ ପୌରପାଳିକା ବନ୍ଦ କରିବା ସହ ରାସ୍ତା ଅବରୋଧ କରିବୁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।
ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପୁଣିଥରେ କାମ କରିବା ସହ ପିଚୁ ଢ଼ାଳାଯିବ ବୋଲି କହିଛନ୍ତି । ତେବେ ଦୁର୍ନୀତିକୁ କେଉଁମାନେ ପ୍ରଶୟ ଦେଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ।