ଧାନବାଦ: କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ମାମଲାରେ ବଡ଼ ସଫଳତା ମିଳିଛି । ଓଡ଼ିଶା ପୋଲିସ ଏବଂ ଝାଡ଼ଖଣ୍ଡ ପୋଲିସର ମିଳିତ ପ୍ରୟାସରେ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ରାଜା କୁମାର ସିଂ ଓ କୁନାଲ ରାଜ୍ ଶର୍ମା। ଧାନବାଦ ପୋଲିସ ସେମାନଙ୍କ ନିକଟରୁ ୨୮୮ ଗ୍ରାମ ସୁନା ଜବତ କରିଛି । ଏହା ସହିତ ୨ଟି ସ୍କର୍ପିଓ କାର୍ ଏବଂ ୪ଟି ସ୍ମାର୍ଟ ଫୋନ୍ ଜବତ ହୋଇଛି ।
ସେପଟେ ଏହି ମାମଲାରେ ଧାନବାଦ ନିରସା ଅଞ୍ଚଳର ଭୋଲଜୋରିଆ ରୋଡରେ ଥିବା ଏକ ସୁନା ଅଳଙ୍କାର ଦୋକାନରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି । ମା କାମାକ୍ଷା ଜୁଏଲର୍ସ ନାମରେ ଏକ ଦୋକାନରେ ପୋଲିସ ଚଢଉ କରିଥିଲା । ଚଢଉବେଳେ ପୋଲିସ ହାତରେ ଲୁଟ୍ ସୁନା ଅଳଙ୍କାର ଲାଗିଥିବା ଜଣାପଡ଼ିଛି । ପୋଲିସ ଦୋକାନ ମାଲିକଙ୍କ ବାସଭବନରେ ମଧ୍ୟ ଚଢ଼ଉ କରିଛି । ତେବେ ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏଯାଏ କୌଣସି ସୂଚନା ପ୍ରଦାନ କରାଯାଇଛି ।
ପ୍ରକାଶ ଯୋଗ୍ୟ, ଗତ ସୋମବାର ଦିନ ଦ୍ୱିପ୍ରହରରେ ବଡବିଲର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ସଶସ୍ତ୍ର ଡକାୟତି ହୋଇଥିଲା । ଡକାୟତମାନେ ବନ୍ଧୁକ ମୁନରେ ୪ ଲକ୍ଷ ୩୪ ହଜାର ଟଙ୍କା ଓ ୫ କୋଟିରୁ ଅଧିକ ମୂଲ୍ୟର ସୁନା ଲୁଟି ନେଇଥିଲେ । ପ୍ରାୟ ୫ରୁ ୬ ଜଣ ଡକାୟତ ଗ୍ରାହକ ବେଶରେ ଆସି ଲୁଟ୍ କରି ବାଇକରେ ଫେରାର ହୋଇଯାଇଥିଲେ । ସାଥିରେ ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇଯାଇଥିଲେ । ସେମାନେ ବିଲେଇପଦା ହୋଇ ନୂଆମୁଣ୍ଡି ରାସ୍ତାରେ ଝାଡ଼ଖଣ୍ଡକୁ ଖସିଯାଇଥିବା କେନ୍ଦୁଝର ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ଦୁଇ ରାଜ୍ୟର ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ଗ୍ୟାଙ୍ଗର ଆହୁରି କିଛି ସଦସ୍ୟ ଏବେ ମଧ୍ୟ ଫେରାର ଅଛନ୍ତି ।