ପୁରୀ : ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ନାବାଳକଙ୍କୁ ପୋଲିସର ମାଡ। ନାବାଳକ କାନରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ନାବାଳକ ପୁରୀ ହସ୍ପିଟାଲରେ ଭର୍ତ୍ତି। ପୁରୀ ଏସ୍ପି ଏବଂ ସିଂହଦ୍ୱାର ଥାନା ଅଧିକାରୀ ଶ୍ବେତପଦ୍ମା ଦାଶ ଓ କୁମ୍ଭାରପଡ଼ା ଥାନା ଅଧିକାରୀ ବିଜୟ କେତନ ବେହେରା ହସ୍ପିଟାଲରେ ଉପସ୍ଥିତ ରହି ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ନାଟମଣ୍ଡପର ସିସିଟିଭି ଯାଞ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ତାଙ୍କ ପତ୍ନୀ ଓ ନାବାଳକ ପୁଅ ସ୍ବୟଂସୁ ସହ ମିଶି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିର ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ଅଧିକାରୀ ତାଙ୍କ ପୁଅକୁ ମାଡ ମାରିଥିଲେ। ଏହାର ପ୍ରତିବାଦ କରିବାରୁ ପୋଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ। ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରୁଛି।