କୋରାପୁଟ : ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ। ଦୋକାନୀ ବିକ୍ରି ପାରିବେନି ମାଛ, ମାଂସ ଠାରୁ ଆରମ୍ଭ କରି ଅଣ୍ଡା ପରି କୌଣସି ଆମିଷ ଜାତୀୟ ଜିନିଷ। ସମସ୍ତ ଆମିଷ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଯଦି କେହି ବ୍ୟବସାୟୀ ଏହି ନିୟମକୁ ଅବମାନନା କରି ଆମିଷ ଦୋକାନ ଖୋଲିବା ସହିତ ବିକ୍ରି କରନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଅନୁସାରେ, ଶୁକ୍ରବାର କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀମାନଙ୍କ ଗଣତନ୍ତ୍ର ଦିବସରେ ଆମିଷ ବଜାର ବନ୍ଦ ରହିବା ନେଇ ନିଷ୍ପତି ନେଇଛନ୍ତି।ଜାନୁଆରୀ ୨୬ ସୋମବାର ଜିଲ୍ଲାର ସବୁ ଅଞ୍ଚଳରେ ସବୁ ପ୍ରକାରର ଆମିଷ ଯେପରିକି ଛେଳି ମାଂସ, କୁକୁଡ଼ା ମାଂସ, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ଆମିଷ ଖାଦ୍ୟ ବିକ୍ରି କରାଯାଇପାରିବ ନାହିଁ। ଆହୁରି ମଧ୍ୟ ଆମିଷ ଯେପରି ବିକ୍ରି ନହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ତେବେ ବ୍ୟବସାୟୀ ମଧ୍ୟ ଏହି ନିଷ୍ପତିକୁ ମାନିବେ ବୋଲି ପ୍ରଶାସନ ପକ୍ଷରୁ ଆଶା ରଖାଯାଇଛି।