ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ମହାକାଶ ବିଜ୍ଞାନର ଦୁନିଆରେ ବଡ ଲମ୍ଫ ମାରିବାକୁ ପ୍ରସ୍ତୁତ । ସ୍ପେସ ଏଜେନ୍ସି ଏ ପର୍ଯ୍ୟନ୍ତ ସବୁଠୁ ବଡ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ(ବିଏଏସ)ର ଭିତ୍ତିପ୍ରସ୍ତର ରଖିଛି । ଭାରତୀୟ ଉଦ୍ୟୋଗ ଜଗତକୁ ଏହି ମିଶନରେ ସହଭାଗିତା ହେବା ପାଇଁ ଆମନ୍ତ୍ରଣ କରାଯାଇଛି । ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର(ଭିଏସଏସସି) ଭାରତୀୟ କମ୍ପାନି ପାଇଁ ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଜାରି କରିଛି । ଏହା ଜରିଆରେ ଘରୋଇ କ୍ଷେତ୍ରର କମ୍ପାନିକୁ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ମୋଡ୍ୟୁଲ ନିର୍ମାଣ ପାଇଁ ଆମନ୍ତ୍ରିତ କରାଯାଇଛି ।
ସିଏନଏନ ନ୍ୟୁଜ-୧୮ର ରିପୋର୍ଟ ମୁତାବକ, ପ୍ରଥମ ପର୍ଯ୍ୟାୟର ଆରମ୍ଭ ୨୦୨୮ରେ ହେବ । ଏଥିରେ ଅନ୍ତରୀକ୍ଷ ଷ୍ଟେସନର ପ୍ରଥମ ମଡ୍ୟୁଲ(ବାସ-୦୧)କୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୩୫ ସୁଦ୍ଧା ଏହାକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ୫ ମଡ୍ୟୁଲ ସହିତ ଷ୍ଟେସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ଏହା ପୃଥିବୀର ନିମ୍ନ କକ୍ଷରେ ପ୍ରାୟ ୪୦୦ରୁ ୫୦୦ କିମି ଉଚ୍ଚତାରେ ସ୍ଥାପିତ ହେବ । ଆରମ୍ଭରେ ଏହା ୩-୪ ଅନ୍ତରୀକ୍ଷ ଯାତ୍ରୀଙ୍କୁ ରହିବା ଏବଂ ସେଠାରେ ବୈଜ୍ଞାନିକ ପ୍ରୟୋଗ କରିବାରେ ସକ୍ଷମ ହେବ ।
ଇସ୍ରୋ ଭାରତୀୟ କମ୍ପାନି ପାଇଁ କଡା ମାନଦଣ୍ଡ ସ୍ଥିର କରିଛି । କାରଣ ଏହି ମୋଡ୍ୟୁଲ ମଣିଷ ରହିବା ଯୋଗ୍ୟ ହେବ । ପ୍ରତ୍ୟେକ ମୋଡ୍ୟୁଲ ୩.୮ ମିଟର ଓସାର ଏବଂ ୮ ମିଟର ଉଚ୍ଚ ରହିବ । ଏହାର ନିର୍ମାଣ ଉଚ୍ଚ ଶକ୍ତି ବିଶିଷ୍ଟ ଆଲୁମିନିୟମ ମିଶ୍ର ଧାତୁ(ଏଏ-୨୨୧୯)ରେ କରାଯିବ । ନିର୍ମାଣରେ ୦.୫ ମିଲିମିଟର ତ୍ରୁଟି ବି ସ୍ୱୀକାର କରାଯିବ ନାହିଁ । କମ୍ପାନିକୁ ସ୍ୱତନ୍ତ୍ର ୱେଲଣ୍ଡିଂ ଓ ଫେବ୍ରିକେଶନ ପ୍ରଯୁକ୍ତିବିଦ୍ୟା ବିକଶିତ କରିବାକୁ ପଡିବ । ଏଥିରେ କୌଣସି ପ୍ରକାରର ବିଦେଶୀ ସହାୟତା କିମ୍ବା ଆଉଟସୋର୍ସିଂର ଅନୁମତି ହେବ ନାହିଁ ।
ଏହି ଐତିହାସିକ ପ୍ରକଳ୍ପରେ ସେହି କମ୍ପାନିକୁ ସାମିଲ କରାଯିବ ଯାହାର ଅତି କମରେ ଏରୋସ୍ପେସରେ ୫ ବର୍ଷର ଅନୁଭବ ଥିବ । ଗତ ୩ ବର୍ଷରେ ବାର୍ଷିକ ହାରାହାରି କାରବାର ୫୦ କୋଟି ଥିବ । ଆବେଦନ କରିବାର ଅନ୍ତିମ ତାରିଖ ୨୦୨୬ ମାର୍ଚ୍ଚ ୮ ତାରିଖ ଧାର୍ଯ୍ୟ କରାଯାଇଛି ।
Also read: ୬୧ ହଜାରରୁ ଅଧିକ ଯୁବକଙ୍କୁ ଉପହାର ଦେଲେ ମୋଦୀ, ରୋଜଗାର ମେଳାରେ ବାଣ୍ଟିଲେ ନିଯୁକ୍ତି ପତ୍ର