ମାଲକାନଗିରି: ମାଓବାଦୀଙ୍କ ପାଇଁ ସମୟ ଧିରେ ଧିରେ ପାଖେଇ ଆସୁଛି । ଆଉ ମାତ୍ର ଦୁଇ ମାସ ଭିତରେ ଦେଶ ହେବ ମାଓ ମୁକ୍ତ । ସେଥିପାଇଁ ମାଓବାଦୀଙ୍କ ଛାତିରେ ଛନକା ପଶିଛି । ଆଜି ଛତିଶଗଡ଼ର ଧମତରୀ ଜିଲ୍ଲାରେ ୯ ଜଣ ସକ୍ରିୟ ମାଓବାଦୀ ହିଂସାର ପଥ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏଥିସହିତ ରାୟପୁର ରେଞ୍ଜକୁ 'ନକ୍ସଲ ମୁକ୍ତ' ଘୋଷଣା କରାଯାଇଛି ।
ରାୟପୁର ରେଞ୍ଜ ଆଇଜି ଅମରେଶ ମିଶ୍ର ସୂଚନା ଦେଇଛନ୍ତି ଯେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ୨ ଜଣ ପୁରୁଷ ରହିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଓଡ଼ିଶା କ୍ୟାଡରର ଅଛନ୍ତି । ଏମାନେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଧମତରୀ-ଗରିଆବନ୍ଦ-ନୂଆପଡ଼ା (ଡିଜିଏନ୍) ଡିଭିଜନରେ ସକ୍ରିୟ ଥିଲେ । ସରକାରଙ୍କ ପକ୍ଷରୁ ଏମାନଙ୍କ ମୁଣ୍ଡ ଉପରେ ମୋଟ ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ରାୟପୁର ରେଞ୍ଜ୍ ଆଇଜି ଅମରେଶ ମିଶ୍ରଙ୍କ ଉପସ୍ଥିତିରେ ଧମତରୀ ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି ନକ୍ସଲମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।
ସୀତାନାଡି କ୍ଷେତ୍ର କମିଟିର ସଚିବ ଜ୍ୟୋତି ଛଦ୍ମନାମ ଜେନି (୨୮) ଏବଂ ଡିଭିଜନାଲ କମିଟି ସଦସ୍ୟ ଉଷା ଛଦ୍ମନାମ ବାଲାମା (୪୫) ପ୍ରତ୍ୟେକଙ୍କ ଉପରେ ୮ ଲକ୍ଷ ପୁରସ୍କାର ଥିଲା । ଅନ୍ୟ ଛଅ ଜଣ ହେଲେ ରାମଦାସ ମାର୍କମ୍ (୩୦), ରୋନି ଛଦ୍ମନାମ ଉମା (୨୫), ନିରଂଜନ ଛଦ୍ମନାମ ପୋଡିଆ (୨୫), ସିନ୍ଧୁ ଛଦ୍ମନାମ ସୋମାଡି (୨୫), ରେନା ଛଦ୍ମ ଚିରୋ (୨୫), ଏବଂ ଆମିଲା ଛଦ୍ମନାମ ସନ୍ନି (୨୫) ଙ୍କ ଉପରେ ୫ଲକ୍ଷ ଲେଖାଏଁ ଥିଲା । ସେହିପରି ଲକ୍ଷ୍ମୀ ପୁନେ (୧୮) ପୁରସ୍କାର ଥିଲା । ବାଲାମା ତେଲେଙ୍ଗାନାର ବାସିନ୍ଦା ହୋଇଥିବାବେଳେ ଅନ୍ୟମାନେ ଛତିଶଗଡର ବିଭିନ୍ନ ଜିଲ୍ଲାର ଅଟନ୍ତି ।
ସେମାନେ ନିକଟରୁ ଇନସାସ୍ ଏବଂ ଏସ୍ଏଲ୍ଆର୍ ରାଇଫଲ୍ ବନ୍ଧୁକ ପୋଲିସ ଜିମା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରୀ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଏଥିସହିତ ରାୟପୁର ରେଞ୍ଜକୁ 'ନକ୍ସଲ ମୁକ୍ତ' ଘୋଷଣା କରାଯାଇଛି । ରାୟପୁର ସମ୍ଭାଗର ଧମତରୀ ଏବଂ ଗରିଆବନ୍ଦ ଜିଲ୍ଲାରେ ଆଉ କୌଣସି ନକ୍ସଲ ସକ୍ରିୟ ନାହାନ୍ତି । ଫଳରେ ଏହି ଅଞ୍ଚଳକୁ 'ନକ୍ସଲ ମୁକ୍ତ' ଘୋଷଣା କରାଯାଇଛି ।
ଏହି ଆତ୍ମସମର୍ପଣ ସହିତ, ଚଳିତ ବର୍ଷ ଛତିଶଗଡ଼ରେ ଏପର୍ଯ୍ୟନ୍ତ ୧୮୯ ଜଣ ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ଛାଡ଼ିଛନ୍ତି । ଜାନୁଆରୀ ୧୯ରେ ଗରିଆବନ୍ଦରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ, ଜାନୁଆରୀ ୧୫ରେ ବିଜାପୁରରେ ୫୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ, ଯାହାଙ୍କ ମଧ୍ୟରୁ ୪୯ ଜଣଙ୍କର ମୋଟ ପୁରସ୍କାର ରାଶି ୧.୪୧ କୋଟି ଟଙ୍କାରୁ ଅଧିକ ଥିଲା। ୨୦୨୫ ମସିହାରେ ରାଜ୍ୟରେ ୧୫୦୦ ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ, ଯେତେବେଳେ କେନ୍ଦ୍ର ସରକାର ସାରା ଦେଶରେ ବାମପନ୍ଥୀ ଉଗ୍ରବାଦକୁ ଦୂର କରିବା ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି।