ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାନୁଆରୀ ୨୭ରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରଭାବିତ ହେବାକୁ ଯାଉଛି । ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ଅଧିକାରୀ ଗୋଟିଏ ଦିନ ଦେଶବ୍ୟାପୀ ହଡତାଳ କରିବାକୁ ଯାଉଛନ୍ତି । ବ୍ୟାଙ୍କ କର୍ମଚାରୀ ସପ୍ତାହକୁ ପାଞ୍ଚ ଦିନ କାମ ଦାବିକୁ ନେଇ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନରେ ସରକାରୀ, ଘରୋଇ, ବିଦେଶୀ, ଗ୍ରାମୀଣ ଓ ସମବାୟ ବ୍ୟାଙ୍କ ବି ସାମିଲ୍ ।
ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ ଦିବସ ଦାବିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଜାରି ରହିଛି । ଭାରତୀୟ ବ୍ୟାଙ୍କ ସଂଘ ପକ୍ଷରୁ ଏହି ଦାବି ଗତ ଦୁଇ ବର୍ଷରୁ ସରକାରଙ୍କ ନିକଟରେ ପଡି ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇ ପାରି ନାହିଁ ।
ୟୁନିୟନ ଅନୁସାରେ, ୨୦୨୩ ଡିସେମ୍ବର ୭ରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ଏବଂ ଭାରତୀୟ ବ୍ୟାଙ୍କ ସଂଘ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଏହି ପ୍ରସ୍ତାବ ଆଧାରରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ କାମ ଅତିରିକ୍ତ ୪୦ ମିନିଟ୍ ବଢାଇବା ଏବଂ ଶନିବାର ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା । ଏହି ଦାବି ପୂରା ନ ହେବା କାରଣରୁ ବ୍ୟାଙ୍କ ସଂଘ ଜାନୁଆରୀ ୨୭ରେ ସମଗ୍ର ଦେଶରେ ହଡତାଳ କରିବାକୁ ନିଷ୍ପତ୍ତି ନେଇଛି ।
ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ନଅଟି ପ୍ରମୁଖ ସଂଗଠନ: ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ, ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍ ଆସୋସିଏସନ୍, ନ୍ୟାସନାଲ୍ କନଫେଡେରେସନ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍, ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍, ବ୍ୟାଙ୍କ ଏମ୍ପ୍ଲଇଜ୍ ଫେଡେରେସନ୍ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ନ୍ୟାସନାଲ୍ ବ୍ୟାଙ୍କ ଅଫିସର୍ସ କଂଗ୍ରେସ, ନ୍ୟାସନାଲ୍ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ୱାର୍କର୍ସ, ଏବଂ ନ୍ୟାସନାଲ୍ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ଅଫିସରସ୍ର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସର ନେତୃତ୍ୱରେ ଏହି ଦେଶବ୍ୟାପୀ ଧର୍ମଘଟ ଆୟୋଜିତ ହେଉଛି।
Also read: ବିଦ୍ୟାଳୟ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଗାଁରେ ଉଡ଼ିଲା ଟେକା ପଥର, ବିଇଓଙ୍କୁ ୪ ଘଣ୍ଟା ଧରି ରଖିଲେ ଅଟକ