ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଏକ ସାମରିକ ଅପରେସନରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଛି ।
କଠୁଆର ବିଲ୍ଲାୱାର ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଛି । ଜମ୍ମୁର ଆଇଜିପି କହିଛନ୍ତି ଯେ ସୁରକ୍ଷା ବାହିନୀ କଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ ଏହି ସଫଳ ଏନକାଉଣ୍ଟର କରିଛି । ସେନା, ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସ ଦଳର ମିଳିତ ଅପରେସନରେ ଏହି ଏନକାଉଣ୍ଟର୍ ହୋଇଛି । ଏହି କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଆତଙ୍କବାଦ ବିରୋଧରେ ଚାଲିଥିବା ପ୍ରୟାସର ଏକ ଅଂଶ।
ଏଠାରେ ପ୍ରକାଶ ଯୋଗ୍ୟ, ଗତ ଗୁରୁବାର କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ପାକିସ୍ତାନ ସେନା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ରାଷ୍ଟ୍ରୀୟ ରାଇଫଲ୍ସର ସୁରକ୍ଷାବାହିନୀ କେରନ ଅଞ୍ଚଳରେ ସୀମାର ସୁରକ୍ଷାକୁ ମଜବୁତ କରିବାକୁ ଏବଂ ନିୟନ୍ତ୍ରଣ ରେଖା ବ୍ଲାଇଣ୍ଡ ସ୍ପଟକୁ ଶେଷ କରିବାକୁ ଅତ୍ୟାଧୁନିକ ସର୍ଭିଲାନ୍ସ କ୍ୟାମେରା ଲଗାଉଥିଲେ । କିନ୍ତୁ ପାକିସ୍ତାନ ସେନା ଏହାକୁ ରୋକିବାକୁ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଭାରତୀୟ ସେନା ମଧ୍ୟ ଗୁଳିର ଜବାବ ଗୁଳିରେ ଦେଇଥିଲା ।