ନୂଆଦିଲ୍ଲୀ: ଜାନୁଆରୀ ୨୬ ପୂର୍ବରୁ ହମଲା ପାଇଁ ଆତଙ୍କୀଙ୍କ ବଡ ଯୋଜନା । ଦିଲ୍ଲୀ ସମେତ ଅନେକ ସହରରେ ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କୀମାନେ ରଚିଥିବା ଷଡଯନ୍ତ୍ରର ଖୁଲାସା ହୋଇଛି । ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଜୈଶ ଏ ମହମ୍ମଦ ସହିତ ମିଶି କୋଡ ୨୬-୨୬ ନାମରେ ଆତଙ୍କୀ ଘଟଣା ଭିଆଇବା ପାଇଁ ଯୋଜନା କରି ଚାଲିଛନ୍ତି । ତେବେ ଗୁଇନ୍ଦା ଇନପୁଟ ପରେ ଦେଶର ଅନେକ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଗୁଇନ୍ଦା ଏଜେନ୍ସି ଏହି ଷଡଯନ୍ତ୍ରର ସନ୍ଧାନ କରିବା ପରେ ଦିଲ୍ଲୀ ପୋଲିସ, ଜମ୍ମୁ-କାଶ୍ମୀର ପୋଲିସ ସହିତ ଅନ୍ୟ ସୁରକ୍ଷା ଏଜେନ୍ସିକୁ ଆଲର୍ଟ କରାଯାଇଛି । ଏହି ଆସନ୍ନ ବିପଦକୁ ଦେଖି ଦିଲ୍ଲୀ ପୋଲିସ ପ୍ରଥମ ଥର ଏକ ସ୍ୱତନ୍ତ୍ର ୱାଣ୍ଟେଡ ନୋଟିସ୍ ଜାରି କରିଛି । ଏଥିରେ ଅଲ କାଏଦର ସନ୍ଦିଗ୍ଧ ଆତଙ୍କୀ ଓ ଦିଲ୍ଲୀ ନିବାସୀ ମହମ୍ମଦ ରେହାନର ଫଟୋକୁ ଯୋଡା ଯାଇଛି ।
ପୋଷ୍ଟରରେ ଶାହିଦ ଫୈସଲର ନାଁ ମଧ୍ୟ ରହିଛି । ଫୈସଲ ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବ୍ଲାଷ୍ଟ ସହିତ ଦକ୍ଷିଣ ଭାରତରେ ଅନେକ ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ଗୁଇନ୍ଦା ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଆତଙ୍କୀ ଗୋଷ୍ଠୀ ଗଣତନ୍ତ୍ର ଦିବସ ପୂର୍ବରୁ ଦେଶର ଅଲଗା ଅଲଗା ଅଞ୍ଚଳରେ ଏକ ସଙ୍ଗେ ହମଲା କରିବାକୁ ଯୋଜନା କରିଛନ୍ତି ।
ଟାର୍ଗେଟରେ ବଡ ମନ୍ଦିର
ସିକ୍ରେଟ କୋଡ ୨୬-୨୬ର ଅର୍ଥ ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଆତଙ୍କୀ ଘଟଣା ଘଟାଇବା । ଆତଙ୍କବାଦୀଙ୍କ ଟାର୍ଗେଟରେ ଦେଶର ଅନେକ ବଡ ମନ୍ଦିର ରହିଛି, ଯଦ୍ୱାରା ମାହୋଲ ବିଗଡା ଯାଇ ପାରିବ । ଏଥିରେ ଅଯୋଧ୍ୟାର ରାମ ମନ୍ଦିର ଓ ଜମ୍ମୁର ରଘୁନାଥ ମନ୍ଦିର ସାମିଲ୍ । ପୋଲିସ ଫୋର୍ସ ବ୍ୟତୀତ ସୀମାବର୍ତ୍ତୀ ଅଞ୍ଚଳରେ ବିଏସଏଫକୁ ସଂପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂରା ଉତ୍ତର ଭାରତର ସୁରକ୍ଷା ଏଜେନ୍ସିକୁ ଆଲର୍ଟ ମୋଡରେ ରଖାଯାଇଛି ।
Also read: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ପ୍ରସ୍ତାବ ଲୋଡ଼ିଲେ ଇସିଆଇ