ବାଲିଗୁଡ଼ା: ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ମୃତ ହାତୀ ଗାଏବ ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମାମଲାରେ ନିଲମ୍ବିତ ହୋଇଥିବା ରେଞ୍ଜର ବିନୟ ବିଶିଙ୍କ ବାସଭବନ ନିକଟରୁ ମୃତ ହାତୀ ଦେହାଂଶ ମିଳିଛି । କେସିଙ୍ଗା ଥାନା ତହଁସିର ଡ୍ୟାମ୍ ନିକଟରୁ ହାତୀର ମୃତ ଶରୀର ମିଳିଛି ।
ବାଲିଗୁଡ଼ା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗର ମିଳିତ ଉଦ୍ୟମରେ ସ୍ଥାନ ଚିହ୍ନଟ କରାଯାଇଥିଲା । ଉକ୍ତ ସ୍ଥାନକୁ ବନ ଅଧିକାରୀ ବ୍ୟାରିକେଡ୍ କରିରଖିଥିଲେ । ଏହା ସହିତ ଭୁବନେଶ୍ୱରରୁ ମଧ୍ୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଗାଯାଇଥିଲା । ଶେଷ ଜେସିପି ଲଗାଇ ପ୍ରାୟ ୭ ଫୁଟ ଗଭୀର ଭିତରୁ ମାଟି ଖୋଳାଯାଇ ହାତୀର ଖଣ୍ଡବିଖଣ୍ଡିତ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ହାତୀକୁ କାଟି ମାଟି ତଳେ ପୋତା ଯାଇଥିବା ସନ୍ଦେହ କରାଯାଉଛି । ମାଂସ ଗୁଡ଼ିକ ପଚିସଢ଼ି ଯାଇଥିବାବେଳେ କେବଳ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ଉଦ୍ଧାର କରାଯାଇଛି । ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞମାନେ ସେହି ସ୍ଥାନରେ ହିଁ ଶବ ବ୍ୟବଚ୍ଛେଦ କରିଛନ୍ତି ।
ପ୍ରକାଶ ଯୋଗ୍ୟ, ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ମାମଲାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ହାତୀର ଶବକୁ ଖୋଜିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା । ବାଲିଗୁଡ଼ା ଡିଏଫ୍ ଓ ଏହି ଘଟଣାର ତଦନ୍ତ କରୁଥିଲେ। ବୁଧବାର ଯୁଗ୍ମ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍ ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ । ଏଥିରେ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ସୂଚନା ଆଧାରରେ ଖୋଜା ଯାଇଥିଲା ।