ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତାବ ଲୋଡ଼ିଛନ୍ତି । ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି ।
ଆସନ୍ତା ଏପ୍ରିଲରେ ରାଜ୍ୟସଭାରେ ମୋଟ ୩୭ଟି ଆସନ ଖାଲି ହେବାକୁ ଯାଉଛି । ଓଡ଼ିଶା ସମେତ ୧୦ଟି ରାଜ୍ୟ ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ପଦ ଖାଲି ହେବ । ଏପ୍ରିଲ ୨ ତାରିଖରେ ମହାରାଷ୍ଟ୍ରର ୭, ଓଡ଼ିଶାର ୪, ତାମିଲନାଡ଼ୁର ୬ ଓ ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ । ସେହିପରି ଏପ୍ରିଲ ୯ରେ ତେଲେଙ୍ଗାନାର ୨ଟି, ଆସାମର ୩, ବିହାରର ୫, ଛତିଶଗଡ଼ର ୨, ହରିୟାଣାର ୨ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବ ।
ଓଡ଼ିଶାରୁ ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।