ରାଉରକେଲା : ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା, ଗୁଳିରେ ଟଳିଲେ ୨ ମାଓବାଦୀ। ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ୨ ମାଓବାଦୀ ନିହତ ହୋଇଛନ୍ତି। ଯବାନଙ୍କ ଗୁଳିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ବାକି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସରଣ୍ଡା ଜଙ୍ଗଲର ସମଠା ଓ କିରିବୁରୁ ମଝିରେ ମାଓବାଦୀଙ୍କ ଗତିବିଧି ଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା ।
ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ, ସିଆରପିଏଫ୍, କୋବ୍ରା, ଜାଗୁଆର ବାହିନୀର ଯବାନମାନେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ। ସମଠା ଓ କିରିବୁରୁ ମଝିରେ ଯବାନ ଏବଂ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଶେଷରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିଲା। ବାକି ଆଉ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ଏବେବି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।