ନୂଆଦିଲ୍ଲୀ: ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଗଠିତ ‘ବୋର୍ଡ ଅଫ ପିସ୍’ରେ ସାମିଲ ହେବାର ନିମନ୍ତ୍ରଣକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି । ଏହି ସଂସ୍ଥା ମୁଖ୍ୟତଃ ଗାଜାରେ ଯୁଦ୍ଧ ବିରାମ ଲାଗୁ କରିବା ଏବଂ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ପୁନଃ ନିର୍ମାଣ ପାଇଁ ଗଠନ କରାଯାଇଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଏକ ବୟାନ ଜାରି କରି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଏହି ବୋର୍ଡରେ ସାମିଲ ହେବାର ସୂଚନା ଦେଇଛି ।
ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନର ଏହି ପଦକ୍ଷେପ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ୨୮୦୩ ଆଧାରରେ ଗାଜା ଶାନ୍ତି ଯୋଜନାର ସମର୍ଥନକୁ କରୁଛି । ପାକିସ୍ତାନ ଆଶା କରୁଛି ଯେ, ଏହି ମଞ୍ଚ ଜରିଆରେ ସ୍ଥାୟୀ ଯୁଦ୍ଧବିରାମ, ମାନବତା ସହାୟତାରେ ଗାଜାର ପୁନଃନିର୍ମାଣ ସୁନିଶ୍ଚିତ ହେବ । ବୟାନରେ ସ୍ପଷ୍ଟ କରାଯାଇଛି ଯେ, ପାକିସ୍ତାନ ୧୯୬୭ ପୂର୍ବରୁ ସୀମା ଓ ଅଲ କୁଦସ ଅଲ-ଶରୀଫକୁ ରାଜଧାନୀ ମାନି ଏକ ସ୍ୱତନ୍ତ୍ର ପାଲେଷ୍ଟାଇନ ଦେଶ ଗଠନର ସପକ୍ଷରେ ଥିଲା ।
ମୁସଲିମ ଦେଶର ବଡ ସମର୍ଥନ
ପାକିସ୍ତାନ ସହିତ ଏ ପର୍ଯ୍ୟନ୍ତ ୯ ମୁସଲିମ ବହୁଳ ଦେଶ ଏହି ବୋର୍ଡର ସଦସ୍ୟ ହେବାକୁ ସହମତି ହୋଇଛନ୍ତି । ଏଥିରେ ଗାଜା ମଧ୍ୟସ୍ଥତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କାତାର ଓ ତୁର୍କୀଏ ମଧ୍ୟ ସାମିଲ୍ । ସାଉଦି ଆରବ, କାତାର, ତୁର୍କୀଏ, ଇଜିପ୍ଟ, ଜୋର୍ଡାନ, ଇଣ୍ଡୋନେସିଆ, ପାକିସ୍ତାନ ଓ ୟୁଏଇ ପରି ଦେଶ ଏହାର ସମର୍ଥନ କରିଛନ୍ତି । ଏହା ବ୍ୟତୀତ କୁଏତ ମଧ୍ୟ ଅଲଗା ଭାବେ ବୋର୍ଡରେ ସାମିଲ ହେବାକୁ ସୂଚନା ଦେଇଛି ।
Also read: ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ଭୋଜଶାଳାରେ ପୂଜା ସହିତ ନମାଜ ପାଠ ବି ହେବ