କଟକ: ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଟକ ସଦର କଖାଡି ସର୍କଲର ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ। ଏକ ଜମି ମ୍ୟୁଟେସନ୍ ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେସେ ଧରାପଡିଛନ୍ତି।
ଜମି ମାଲିକଙ୍କ ଅଭିଯୋଗ ଆଧାରରେ ଆରଆଇଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ। ଆରଆଇ ଦାବି କରିଥିବା ଅର୍ଥରାଶି ଜମି ମାଲିକ ଦେବାକୁ ଅସମର୍ଥ ଥିବାରୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ଆରଆଇ ରଞ୍ଜନ ଜମି ମାଲିକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ଦୁର୍ନୀତିଗ୍ରସ୍ତ ଟଙ୍କା ଉଦ୍ଧାର କରାଯାଇଛି ଏବଂ ପ୍ରମାଣ ଭାବରେ ଜବତ କରାଯାଇଛି।
ଅପରପକ୍ଷରେ ସମ୍ଭାବ୍ୟ ଆୟ ବହିର୍ଭୂତ ସମ୍ପତ୍ତି ସନ୍ଦେହରେ ଆରଆଇଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଛାନଭିନ୍ ଚାଲିଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅନୁଯାୟୀ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ: ୭୨ ଜଣ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କଲେ ପୁରୀ ଡିଇଓ