ଭୁବନେଶ୍ୱର: କନ୍ଧମାଳ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ମାମଲାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । ହାତୀକୁ ଅନ୍ୟ ସ୍ଥାନରେ ପୋତିବା ବଡ଼ ଅପରାଧ । ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସେହିପରି ବନ ଅଧିକାରୀଙ୍କୁ ମଧ୍ୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଯେଉଁମାନେ ସାହାଯ୍ୟ କରିଛନ୍ତି, ଏଭଳି ଲୋକ ଚାକିରରେ ରହିବା ଯୋଗ୍ୟ ନୁହେଁ । ମାମଲାର ସଠିକ ତଦନ୍ତ ପାଇଁ ପିସିସିଏଫଙ୍କ ସହିତ ଆଲୋଚନା ଚାଲିଛି ।
ଉଲ୍ଲେଖ ଯୋଗ୍ୟ, ହାତୀ ମୃତ ଦେହ ନିଲମ୍ବିତ ହୋଇଥିବା ରେଞ୍ଜର ବିନୟ ବିଶିଙ୍କ ବାସଭବନ ନିକଟରୁ ମିଳିଛି । କେସିଙ୍ଗା ଥାନା ତହଁସିର ଡ୍ୟାମ୍ ନିକଟରୁ ହାତୀର ମୃତ ଶରୀର ମିଳିଛି । ଜେସିପି ଲଗାଇ ପ୍ରାୟ ୭ ଫୁଟ ଗଭୀର ଭିତରୁ ମାଟି ଖୋଳାଯାଇ ହାତୀର ଖଣ୍ଡବିଖଣ୍ଡିତ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ହାତୀକୁ କାଟି ମାଟି ତଳେ ପୋତା ଯାଇଥିବା ସନ୍ଦେହ କରାଯାଉଛି । ମାଂସ ଗୁଡ଼ିକ ପଚିସଢ଼ି ଯାଇଥିବାବେଳେ କେବଳ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ଉଦ୍ଧାର କରାଯାଇଛି । ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞମାନେ ସେହି ସ୍ଥାନରେ ହିଁ ଶବ ବ୍ୟବଚ୍ଛେଦ କରିଛନ୍ତି । ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା।