କଟକ: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲା। ହାଇକୋର୍ଟରେ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଆଜି ଥିବାବେଳେ ତାହା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଛି। ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି ଗୋଟିଏ ଦିନ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ ଅଭିଯୁକ୍ତ। ଯାହାକୁ ଆସନ୍ତା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ। ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ସବୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଏକା ସାଙ୍ଗରେ ହେବ ବୋଲି କୋର୍ଟ କହିଛନ୍ତି। ତେବେ ସିବିଆଇ ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ୧୬ ଜଣଙ୍କ ନାଆଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ କିଙ୍ଗପିନ୍ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ରହିଛି। ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରୁ ୯ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସିବିଆଇ ପକ୍ଷରୁ ୭ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଥିଲା।
ନଭେମ୍ବର ୨୦ ତାରିଖରେ ସିବିଆଇ ଏହି ମାମଲାର ତଦନ୍ତଭାର ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ପରେ କେନ୍ଦ୍ର ସରକାର ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତକୁ ଅନୁମୋଦନ କରିଥିଲେ।
ଅଧିକ ପଢନ୍ତୁ: ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା; ଏଣିକି ୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା